ନର୍ଲାରେ ମୁକ୍ତ ବିଦ୍ୟାଳୟ ନାମଲେଖା ପାଇଁ ମେଗା କ୍ୟାମ୍ପ : ନାମ ଲେଖାଇଲେ ୧୧୪ ଡ୍ରପଆଉଟ୍ ଛାତ୍ରଛାତ୍ରୀ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ବିଦ୍ୟାଳୟ ବାହାରେ ରହିଥିବା କିମ୍ବା ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରାଇବାର ଏକ ବୃହତ୍ ପଦକ୍ଷେପ ଭାବରେ ନର୍ଲା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍ଆଇଓଏସ୍) ଏବଂ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ (ଏନ୍ଆଇଓଏସ୍)ରେ ନାମଲେଖା ପାଇଁ ଏକ ମେଗା କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଏହି କ୍ୟାମ୍ପରେ ମୋଟ ୧୧୪ ଜଣ ଛାତ୍ରଛାତ୍ରୀ ନିଃଶୁଳ୍କ ଭାବରେ ନାମ ପଞ୍ଜିକରଣ କରିଛନ୍ତି। ଏଥିରେ ୧୦୩ ଜଣ ଛାତ୍ରଛାତ୍ରୀ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ଦ୍ଵାଦଶ (+୨) ସ୍ତରରେ ଏବଂ ୧୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟର ଦଶମ ସ୍ତରରେ ନାମ ଲେଖାଇବା ପାଇଁ ଫର୍ମ ପୂରଣ କରି ଆବଶ୍ୟକୀୟ ଦସ୍ତାବିଜ୍ ଦାଖଲ କରିଥିଲେ। କାର୍ଯ୍ୟକ୍ରମରେ ନର୍ଲା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ ନେତୃତ୍ୱ ନେଇଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଗୋବର୍ଦ୍ଧନ ମାଝୀ ଏବଂ ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ନର୍ଲା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ରାଜ୍ୟ ମୁକ୍ତ ବିଦ୍ୟାଳୟର ବ୍ଲକ ସଂଯୋଜିକା ସୁସ୍ମିତା ସୁନାମୁଦୀ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜାନୀ କହିଛନ୍ତି ଯେ, ପରବର୍ତ୍ତୀ ସମୟରେ ଆହୁରି ଅଧିକ ପିଲାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିବ। ଏହି ଉଦ୍ୟମ ଡ୍ରପଆଉଟ୍ ହାର ହ୍ରାସ କରିବା ସହିତ ଯୁବପିଢ଼ିକୁ ଶିକ୍ଷିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *