ଖାତିଗୁଡାରେ ଶୁଭାରମ୍ଭ ହେଲା ବାଲିଯାତ୍ରା

ତେନ୍ତୁଳିଖୁଣ୍ଟି/କ୍ରାନ୍ତି କ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡାରେ ଶୁଭାରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପାଟବାଲି ଯାତ୍ରା। ପାଟ ବାଲିଯାତ୍ରା ୧୨ବର୍ଷ କୁ ଥରେ ହୋଇଥାଏ। କିନ୍ତୁ ଖାତିଗୁଡା ଗ୍ରାମରେ ବିଭିନ୍ନ କାରଣରୁ ଏହି ଯାତ୍ରା କରିବା ପ୍ରାୟ ଦୁଇ ବର୍ଷ ବିଳମ୍ବ ହୋଇ ଥିବାରୁ ଚଳିତ ବର୍ଷ ଏହି ଯାତ୍ରା ଧୂମଧାମରେ କରିବା ପାଇଁ ଗ୍ରାମବାସୀ ସଂକଳ୍ପବଦ୍ଧ ହୋଇଥିବା ପ୍ରକାଶ କରିଛନ୍ତି। ଯାତ୍ରା ଆରମ୍ଭ ପୂର୍ବରୁ ଗ୍ରାମବାସୀ ନବରଙ୍ଗପୁର ଜିଲ୍ଲା ଡୁଙ୍ଗୁରା ପଞ୍ଚାୟତ ଭଣ୍ଡାରୀଗୁଡା ଗ୍ରାମର ବାଲି ଗୁରୁମାଇଁଙ୍କୁ ଗ୍ରାମକୁ ପାଛୋଟି ଆଣି ବନ୍ଦାପନା କରିବା ପରେ ବାରଙ୍ଗପଦର ଜାନି, ଖାତିଗୁଡା ଗ୍ରାମର ପୂଜାରି, ନାୟକ ଘର, ଗଣ୍ଡା, ଚଳାନ ମାନଙ୍କୁ ପାଛୋଟି ଆଣି ଥିଲେ। ଗ୍ରାମବାସୀ ଠାକୁରାଣୀ ମନ୍ଦିର ଯାଇ ମାଙ୍କ ଲାଠି ଓ ଗ୍ରାମର ସମସ୍ତ ଦେବାଦେବୀଙ୍କୁ ବାଜା, ଘଣ୍ଟ, ହୁଳହୁଲି ଦେଇ ବାଲି ଘରକୁ ଆଣି ଥିଲେ। ଗ୍ରାମର ସମସ୍ତଙ୍କ ଉପସ୍ଥିତି ରେ ବାଲିଘରରେ ଗୁନା ବା ଏକ ବଡ଼ କଳସ ସ୍ଥାପନ କରି ପୂଜାର୍ଚ୍ଚନା ଶୁଭ ଆରମ୍ଭ କରା ଯାଇଛି। ଏହି ଯାତ୍ରା ଦୀର୍ଘ ତିନିମାସ ଧରି ଚାଲିବ ବୋଲି ଗ୍ରାମ ବାସୀ କହିଛନ୍ତି। ଏହି ଯାତ୍ରା ଦେଖିବା ପାଇଁ ଆଖ ପାଖ ଅଞ୍ଚଳ ଶତାଧିକ ଲୋକେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।