ଝରିଗାଁ/କ୍ରାନ୍ତିକ୍ଷେତ୍ର(ଭୋଦେବ ଗୌଡ଼) : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଖଟିଖିଆ ଓ ଦିନ ମଜୁରିଆ ଶ୍ରେଣୀର ଲୋକଙ୍କୁ ମୁଣ୍ଡ ଉପରେ ଛାତ ଖଣ୍ଡେ ଯୋଗେଇ ଦେବା ଉଦ୍ଧେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଛନ୍ତି। ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖକୁ କିପରି ପହଞ୍ଚି ପାରିବ ସେଥିପାଇଁ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ହେଲେ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ରହୁଥିବାବେଳେ ଏହି ଯୋଜନାରେ ଯେଉଁ ହିତାଧିକାରୀମାନେ ଘର ଖଣ୍ଡେ ପାଇଛନ୍ତି ସେମାନେ ମଧ୍ୟ ଘର ଗୁଡିକ ଅସମ୍ପୂର୍ଣ୍ଣ ରଖିଥିବା ଦେଖିବାକୁ ମିଳୁଛି। ବ୍ଲକ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଝରିଗାଁ ବ୍ଲକରେ ଆର୍ଥିକବର୍ଷ ୨୦୨୫-୨୬ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୬୬୭ଟି ଘର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଟାର୍ଗେଟ ରହିଛି। ସେଥିମଧ୍ୟରୁ ମାତ୍ର ୧୨୭୨ଟି ଘର ସମ୍ପୂର୍ଣ୍ଣ ହୋଇଛି।ବ୍ଲକର ବଡ଼ଟେମରା ପଞ୍ଚାୟତରେ ୭୨, ବକଡାବେଡା ୭୫, ବଣୁଆଗୁଡା୧୪୨, ବେଳଗାଁ ୧୧୨, ଭାଲୁକୋନାଡି ୯୨, ଭିକ୍ଷୀଆ୨୪୨, ଚଚା୨୬୭, ଚକଳାପଦର ୨୪୦, ଚାଟିଗୁଡା ୫୪, ଧାମନାଗୁଡା ୧୭୨, ଚିତାବେଡା ୧୫୬, ଧୋଡ଼ରା ୩୨୩, ଡ଼ଙ୍ଗରୀଗୁଡା ୧୨୬, ଏକମ୍ବା ୭୨, ଗୁରୁସିଙ୍ଗା ୧୨୦, ଇଛାପୁର, ୧୧୫, ଝରିଗାଁ ୨୬୮, କାନାକୋଟ ୧୭୪ କୁଟୁରିଛାପର ୭୮, ପାଳିଆ ୧୮୦, ଫୁଫୁଗାଁ ୬୦, ରାତାଖଣ୍ଡି ୧୯୯, ତେଲନଦୀ ୫୭ ଆବାସ ଘର ମଞ୍ଜୁର ହୋଇଛି। ସେଥିମଧ୍ୟରୁ ୩୩୯୫ଘର ଅସମ୍ପୂର୍ଣ୍ଣ ହୋଇରହିଛି। ବ୍ଲକରେ ୨୭.୨୬ % ପ୍ରତିଶତ ଘର ସମ୍ପୂର୍ଣ୍ଣ ହୋଇଛି। ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ଆବାସ ଯୋଜନା ଆଶା ମୁତାବକ ଫଳପ୍ରଦ ହେଉ ନଥିବା ଅଭିଯୋଗ ହେଉଛି। ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀଙ୍କୁ ଠିକାଦାରମାନେ ଘର ନିର୍ମାଣ କରିଦେବା ଆଳରେ ହିତାଧିକାରୀଙ୍କ ଠାରୁ କିସ୍ତି ଟଙ୍କା ନେଇ ଘର ସବୁ ଅସମ୍ପୂର୍ଣ୍ଣ କରି ଛାଡ଼ି ଦେଇଥିବାବେଳେ ପଞ୍ଚାୟତ ଠାରୁ ବ୍ଲକ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମଧ୍ୟରେ ମିଲିଭାଗତ ଥିବା ସାଧାରଣରେ ଆଲୋଚନା ହେଉଛି। ତେଣୁ ପ୍ରଶାସନ ଏ ବିଷୟ ଗୁରୁତ୍ୱ ଦେବା ସହିତ ପଦକ୍ଷେପ ନେବାକୁ ଦାବି ହୋଇଛି ।
