ରାୟଗଡ଼ରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଜିଲ୍ଲାର ଉଦ୍ୟମୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜ଼ିଲ୍ଲା ପରିଷଦ ସଭାଗୃହରେ ଜ଼ିଲ୍ଲା ମୁଖ୍ୟ ବିକାଶ ତଥା ଉର୍ନ୍ନୟନ ଅଧିକାରୀ  ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଭାରତର ବିଶ୍ୱ ଅର୍ଥନୀତିରେ ସ୍ଥାନ ଓ ରାୟଗଡ଼ାର ସମ୍ଭାବନାଶୀଳ ଷ୍ଟାର୍ଟଆପ୍‌ ବିଷୟରେ ବିସ୍ତୃତ ଚର୍ଚ୍ଚା ହୋଇଛି। ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଚିତ୍ତ ରଞ୍ଜନ ମଲ୍ଲିକ,  ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସଫଳ ଉଦ୍ୟାଗୀ ଏ ଗୋବିନ୍ଦ ରାଓ, ଉଦ୍ୟାଗୀ ନରିନ କୁମୁନ୍ଦନ ଓ ଉଦ୍ୟାଗୀ ସୁରଜିତ ହୋତା, ୟୁଜିଏମଆଇଟି ଅଧକ୍ଷ, ଆଇଟିଆଇ ଅଧକ୍ଷ, ଭିଆଇଏମଏସ ଅଧକ୍ଷ ପ୍ରମୁଖ ଉପସ୍ଥିତ ରହି ଉଦ୍ୟମୀଙ୍କୁ ପ୍ରୋତ୍ସାହିତ କରିଥିଲେ। ଅକ୍ଷୟ କୁମାର ଖେମୁଣ୍ଡୁ ଭାରତର ବିଶ୍ୱ ଅର୍ଥନୀତିରେ ସ୍ଥାନ ଓ ଅର୍ଥନୀତିର ବ୍ୟାପକ -ଆଧୁନିକୀକରଣ-ବିବିଧୀକରଣ (ଇଏମ୍‌ଡି) ମଡେଲ୍‌ ବିଷୟରେ ବିଶ୍ଳେଷଣ କରିଥିଲେ। ସେ ଉଦ୍ୟମୀଙ୍କୁ ସରକାରୀ ଯୋଜନା ଓ ନୀତିର ସମ୍ପୂର୍ଣ୍ଣ ଉପଯୋଗ ଏବଂ ବିତ୍ତୀୟ ବିଲ୍‌ ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ। “ଚାକିରି ଖୋଜୁଥିବା ବ୍ୟକ୍ତି ନହୋଇ, ଚାକିରି ସୃଷ୍ଟିକାରୀ ହୁଅନ୍ତୁ” ବୋଲି ସେ ଉଦ୍ୟମୀଙ୍କୁ ଉତ୍ସାହିତ କରିଥିଲେ। ସେ ରାୟଗଡ଼ାରେ କୃଷି-ବୈଷୟକ, ଆର୍ଗାନିକ୍‌ ଚାଷ ଓ ଖାଦ୍ୟ ପ୍ରକ୍ରିୟାକରଣ, ଇ-କମର୍ସ୍‌, ଏଆଇ ଉପଯୋଗ, ସ୍ୱାସ୍ଥ୍ୟସେବା, ଆଇଟି, ଗ୍ରାମ୍ୟ ପର୍ଯ୍ୟଟନ୍‌ ଏବଂ ଆଦିବାସୀ ପର୍ଯ୍ୟଟନ୍‌ କ୍ଷେତ୍ରରେ ଷ୍ଟାର୍ଟଆପ୍‌ ସ୍ଥାପନର କରିବା ପାଇଁ ପରାମର୍ଶ ଦେଇଥିଲେ। ବିଶେଷ ଭାବେ କୋଲନାରା ଓ ରାୟଗଡ଼ାରେ ଗେଣ୍ଡୁଫୁଲ ଉତ୍ପାଦନ ଏକକ ଏବଂ କାଶୀପୁରରେ ଆମ୍ବ ପ୍ରକ୍ରିୟାକରଣ ଇୟୁନିଟ୍‌ ସ୍ଥାପନ ଉପରେ ଗୁରୁତ୍ୱ ଦେଇଥିଲେ। ସୁନୀଲ ପଟ୍ଟନାୟକ, ଶୁଭ୍ରତ ପଟ୍ଟନାୟକ, ଅଂଶୁମାନ ବେହେରା ମିଳିତ ଭାବେ ପିଏମ୍‌ଇଜିପି (ପ୍ରଧାନମନ୍ତ୍ରୀ ଏମ୍‌ପ୍ଲଏମେଣ୍ଟ୍‌ ଜେନେରେସନ୍‌ ପ୍ରୋଗ୍ରାମ୍‌), ପିଏମ୍‌ଏଫ୍‌ଏମ୍‌ଇ (ପ୍ରଧାନମନ୍ତ୍ରୀ ଫୁଡ୍‌ ପ୍ରସେସିଂ ଇଣ୍ଡଷ୍ଟ୍ରିଜ୍‌ ମିଶନ୍‌) ଏବଂ ସିଏମ୍‌ଏସ୍‌ଆର୍‌ଆଇଏମ୍‌ ସମେତ ଅନ୍ୟାନ୍ୟ ସରକାରୀ ଯୋଜନା ଉପରେ ବିସ୍ତୃତ ଉପସ୍ଥାପନା କରିଥିଲେ। ଏବଂ ସୁନୀଲ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।