ଦାରିଙ୍ଗିବାଡିରେ ବିରାଟ ହିନ୍ଦୁ ସମ୍ମିଳନୀ, ସଂଗଠିତ ହିନ୍ଦୁର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ

କନ୍ଧମାଳ/କ୍ରାନ୍ତିକ୍ଷେତ୍ର : କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡିଠାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ବିରାଟ ହିନ୍ଦୁ ସମ୍ମିଳନୀ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ହିନ୍ଦୁ ସମାଜର ସଦସ୍ୟମାନେ ଏହି ସମ୍ମିଳନୀରେ ଯୋଗଦେଇଥିଲେ । ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ରାମ ପ୍ରସାଦ ପଟ୍ଟନାୟକ (ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର) ଯୋଗଦେଇ ସଂଗଠିତ ହିନ୍ଦୁ ସମାଜର ଆବଶ୍ୟକତା, ସାମାଜିକ ସମରସତା ଓ ସାଂସ୍କୃତିକ ଚେତନା ଉପରେ ମୂଲ୍ୟବାନ ମତ ପ୍ରକାଶ କରିଥିଲେ। ଏହି ଅବସରରେ ବକ୍ତା ଭାବେ ଡକ୍ଟର ରବି ନାରାୟଣ ବେହେରା (ବିଶ୍ୱ ହିନ୍ଦୁ ପରିଷଦ, ଗଞ୍ଜାମ ଜିଲ୍ଲା ସମରସତା ପ୍ରମୁଖ) ଯୋଗଦେଇ ହିନ୍ଦୁ ସଂସ୍କୃତିର ବୈଜ୍ଞାନିକ ଭିତ୍ତି, ସମାଜିକ ଏକତା ଓ ଜାତୀୟ ଚିନ୍ତାଧାରା ସମ୍ପର୍କରେ ଗଭୀର ଆଲୋଚନା କରିଥିଲେ। ସମ୍ମାନନୀୟ ଅତିଥି ଭାବେ ବିଜୟ କୁମାର ସାମଲ, ଆରଏସ୍ଏସର ବିଭାଗ ପ୍ରଚାରକ, ଉପସ୍ଥିତ ରହି ସଂଗଠନ, ଶିଷ୍ଟାଚାର ଓ ସାମାଜିକ ଦାୟିତ୍ୱ ଉପରେ ଉଦ୍ବୋଧନ ଦେଇଥିଲେ। ବକ୍ତାମାନେ ସଂଗଠିତ ହିନ୍ଦୁ ସମାଜ ହିଁ ଦେଶ ଓ ସମାଜର ସୁରକ୍ଷା, ସମୃଦ୍ଧି ଓ ସାମଗ୍ରିକ ବିକାଶର ମୂଳ ଆଧାର ବୋଲି ମତ ପ୍ରକାଶ କରିଥିଲେ। ସମ୍ମିଳନୀ ସାନ୍ତି, ସମନ୍ୱୟ ଓ ସାମାଜିକ ସଚେତନତାର ବାର୍ତ୍ତା ସହିତ ସମାପ୍ତ ହୋଇଥିଲା ।