ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି,୩୬ ଅଭିଯୋଗରୁ ୧୯ ଟିର ତତ୍କାଳ ସମାଧାନ ।

ପୋଲସରା/କ୍ରାନ୍ତିକ୍ଷେତ୍ର (ରଞ୍ଜିତ ପ୍ରଧାନ) : ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତରେ ସୋମବାର ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି ଶିବିର ବିଜୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଡିଓ ଶଶିଭୂଷଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତହସିଲଦାର ଦୀପ୍ତିମୟୀ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଜନଶୁଣାଣିରେ ଢୁଙ୍କାପଡା ପଞ୍ଚାୟତର ଢୁଙ୍କାପଡା, ବଉଦିଆ ପଲ୍ଲୀ, କଣିଆ ପଲ୍ଲୀ, ପାଇକରା ପଲ୍ଲୀ ଓ ରାମକୃଷ୍ଣନଗର ଗ୍ରାମର ଜନସାଧାରଣ ତାଙ୍କ ଅଭିଯୋଗ ପଞ୍ଜିକରଣ କରିଥିଲେ। ମୋଟ ୩୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୯ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଜନଶୁଣାଣି ଅବସରରେ ୭ଜଣ ହିତାଧିକାରୀଙ୍କୁ ରାସନ୍ କାର୍ଡ ଏବଂ ୧୨ଟି ଘରପଟ୍ଟା ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସିମାଞ୍ଚଳ ସେଠୀ, ସମିତିସଭ୍ୟା ସଂଯୁକ୍ତା ବାଡ଼ତ୍ୟା, ଥାନାଧିକାରୀ କୌଶିକ ମାଝୀ, ଏବିଡିଓ ସୋନମ୍ ବେହେରା, ସିଡିପିଓ ତିଳୋତ୍ତମା ରାଉତଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ।

ପାନୀୟଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ୱରୂପ ତ୍ରୀପାଠୀ, ବ୍ଲକ ଯନ୍ତ୍ରୀ ଇନ୍ଦ୍ରମଣି ସାହୁ, ଢୁଙ୍କାପଡା ମେଡିକାଲ ଅଫିସର ଡ଼ା. ଅଞ୍ଜଳି ପଣ୍ଡା, ଡାକ୍ତର ରାଜପ୍ରସାଦ ଖଟୁଆ, ବାଘୁଆ ଜଳସେଚନ ସହକାରୀ ଯନ୍ତ୍ରୀ କେଶବ ଖଟେଇ, ଟିପିଏସଓଡିଏଲ ଯନ୍ତ୍ରୀ ଆକାଶ କୁମାର ଜେନା, ଆଇପିଓ ତୁଷାର କାନ୍ତ ମହାନ୍ତି, ଫିସେରୀ ଜେଏଫଟିଏ ନାରାୟଣ ସେଠୀ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦିତ୍ୟ କୁମାର ନାୟକ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ଜନଶୁଣାଣି ଅଧିକାରୀଣୀ ଲିପ୍ସା ରାଣୀ ଭଞ୍ଜ, ଏଡିଓ କୃଷ୍ଣ ନାରାୟଣ ପରିଡ଼ା ସହ ଅଙ୍ଗନବାଡ଼ି କର୍ମୀ ଓ ବ୍ଲକର ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।

ଏହି ଅବସରରେ ଶିବଶଙ୍କର ହରିଜନ ସାହିରେ ସମ୍ପୂର୍ଣ୍ଣ ଭାବେ ଶୌଚାଳୟ ବ୍ୟବସ୍ଥା ନଥିବାରୁ ଶୌଚାଳୟ ନିର୍ମାଣ ପାଇଁ ସାହିବାସୀଙ୍କ ପକ୍ଷରୁ ଦାବି ହୋଇଥିଲା। ସେହିପରି ଢୁଙ୍କାପଡା, ସୋଡକ ଓ କଣଛାଇ ପାହାଡ଼ ଅଞ୍ଚଳରୁ ଅବୈଧ ପଥର ଚୋରାଚାଲାଣ ଓ ହାଇଓ୍ବା ଚଳାଚଳ ଦ୍ୱାରା ପରିବେଶ ପ୍ରଦୂଷଣ ହେଉଥିବା ନେଇ ସୁଶ୍ରୀ  ଆରତୀ ଦେବୀଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜନଶୁଣାଣିରେ ବନ୍ଦ ଦାବି ଉଠାଇଥିଲେ।

Leave a Reply

Your email address will not be published. Required fields are marked *