କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ଛୋଟ ବଡ଼ ଦୁର୍ଘଟଣା ନିତିଦିନିଆ କଥା ହୋଇ ଯାଇଛି।ଆଜି ଏକ ଦୁର୍ଘଟଣା ସନ୍ଧ୍ୟା ସମୟରେ ଘଟି ଜଣେ ଯୁବକର ଜୀବନ ଚାଲି ଯାଇଛି। ସୂଚନା ଅନୁଯାୟୀ କେସିଙ୍ଗା ରିଲାଏନ୍ସ ପେଟ୍ରୋଲ ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତର ବାହାଦୁରପଦର ଗ୍ରାମର ନେପାଲ ପୋଢ଼ (୨୫) ଙ୍କ ଦୁର୍ଘଟଣା ରେ ପ୍ରାଣ ଚାଲିଯାଇଛି। ମୃତ ନେପାଲ ନିଜ ଗ୍ରାମ ରୁ କିଛି କାମ କିମ୍ବା ବଜାର ସାରି ନିଜ ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଏକ ବୋଲେରୋ ପିକଅପ ଗାଡ଼ି ଭବାନୀପାଟଣା ପଟୁ କେସିଙ୍ଗା ଆସୁଥିବା ବେଳେ ଧକ୍କା ଦେଇଛି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଶବ ଜବତ କରି କେସିଙ୍ଗା ମେଡିକାଲକୁ ପଠାଇଥିବାବେଳେ ଖବର ପାଇ ବାହାଦୁରପଦର ରୁ ତାଙ୍କ ପରିବାର ଲୋକ ଆସି ଦୁର୍ଘଟଣା ହୋଇଥିବା ସ୍ଥାନରେ ଏନ୍ ଏଚ ୨୬ କୁ ବନ୍ଦ କରି ବିରୋଧ ପ୍ରଦର୍ଶନ କରିଥିଲେ। ପରେ କେସିଙ୍ଗା ତହସିଲଦାର ଓ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝା ସୁଝା କରୁଥିବା ଦେଖାଯାଇଥିଲା ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ରୋକ ହଟି ନଥିଲା।
