ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ ବଞ୍ଚାଇ କୌଣସି ପ୍ରକାରେ ଉଦ୍ଧାର ହୋଇ ସକାଳେ ଘରକୁ ଫେରିଛନ୍ତି ଜଣେ ୧୪ ବର୍ଷୀୟ ନାବାଳିକା। ଏପରି ଘଟଣା କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳରେ ଘଟିଛି। ସୂଚନା ପ୍ରକାରେ, ନାବାଳିକା ଗତ ରବିବାର ପୂର୍ବାହ୍ନରେ ଏକୁଟିଆ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ପୂର୍ବ ଯୋଜନା ପ୍ରକାରେ ସେହି ଅଞ୍ଚଳର ୨ ଜଣ ଯୁବକ ନାବାଳିକାକୁ ଗାଧୋଇବା ତୁଠରୁ ଉଠାଇ ଏକ ଘଞ୍ଚ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ନାବାଳିକାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଜବରଦସ୍ତ କରିଥିଲେ। କିନ୍ତୁ ନାବାଳିକା ରାଜି ନ ହେବାରୁ ସେ ପିନ୍ଧିଥିବା ପୋଷାକ ଚିରି ଦେଇ ଭିଡିଓ କରି ଭାଇରଲ କରିଦେବୁ ବୋଲି ଧମକ ଦେଇଥିଲେ ଯୁବକ। ଏହା ସହିତ ନାବାଳିକାଙ୍କୁ ମାଡମାରି ପାଟିରେ କପଡ଼ା ଓ ହାତ ଗୋଡ ବାନ୍ଧି ସେହି ଘଞ୍ଚ ଜଙ୍ଗଲରେ ଛାଡ଼ି ଦେଇ ପଳାଇଥିଲେ। ସେଠାରେ ରାତିର କିଟି କିଟି ଅନ୍ଧାର, ହିଂସ୍ରଜନ୍ତୁଙ୍କ ଭୟ ସହିତ ଶୀତ କାକରରେ ରାତି କାଟି ଥିବାବେଳେ ବନ୍ଧା ହାତଗୋଡ କିପରି ଖୋଲିହେବ ସେ ପ୍ରଚେଷ୍ଟ ଜାରି ରଖି ଆଜି ସକାଳ ହେବାରୁ କୌଣସି ପ୍ରକାରେ କଷ୍ଟମଷ୍ଟେ ଘରକୁ ଫେରି ପରିବାର ଲୋକଙ୍କୁ କହିଥିଲେ। ଏନେଇ ପରିବାର ଲୋକେ ବେଲଘର ଥାନାରେ ଏକ ଲିଖିତ ଅଭିଯୋଗ ଦେଲା ପରେ ବେଲଘର ଥାନା ଏକ ମାମଲା ରୁଜୁ କରି ସେହି ଗ୍ରାମର ଜଣେ ଯୁବକଙ୍କୁ ଅଟକ ରଖି ପଚାରଉଚରା ଜାରି ରହିଛି ବୋଲି କହିଛନ୍ତି ବେଲଘର ପୋଲିସ।
