କବାଟ ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା
କୋକସରା/କ୍ରାନ୍ତିକ୍ଷେତ୍ର : କିଛି ଦିନର ବ୍ୟବଧାନ ପରେ କୋକସରା ଅଞ୍ଚଳରେ ଚୋର ଦଳ ପୁଣି ସକ୍ରିୟ ହୋଇ ଉଠିଲେଣି। ଘରେ କେହି ନଥିବା ସୁଯୋଗ ନେଇ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅଞ୍ଚଳରେ ବଡ଼ ଧରଣ ଚୋରି ହୋଇଛି। ଆମପାଣି ଗ୍ରାମର ବ୍ୟବସାୟୀ ସନ୍ତୋଷ କୁମାର ସାହୁ ତାଙ୍କ ପରିବାର ଲୋକଙ୍କ ସହିତ ବୁଧବାର ଏକ ବିବାହ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ମାନେ ସେହି ରାତିରେ ଘର ପଛପଟୁ କବାଟ ଭାଙ୍ଗି କଲାକନା ବୁଲେଇଛନ୍ତି। ମାଲିକ ପରିବାର ରାତି ପ୍ରାୟ ୧୧ଟା ସମୟରେ ଘରକୁ ଫେରି କବାଟ ଖୋଲିବା ପରେ ଘର ଭିତରକୁ ଗାଡା ପଡ଼ିଥିଲା। ଏହାପରେ ସେମାନେ ଚୋରି ହୋଇଥିବା ସନ୍ଦେହ କରି ପାଖ ପଡୋଶୀ ଲୋକଙ୍କୁ ଡାକି କବାଟ ଭାଙ୍ଗି ଘରକୁ ପିସିଥିଲେ। ପରେ ଘରେ ଚୋରି ହୋଇଥିବା ଜାଣି ଆମପାଣି ପୋଲିସ କୁ ସୂଚନା ଦେଇଥିଲେ। ଦୁର୍ବୁର୍ତ୍ତ ମାନେ ଘର ପଛପଟୁ ଲୁହା କବାଟ ଭାଙ୍ଗି ଘରେ ଥିବା ଆଲମୀରା ଫାଡ଼ି ପ୍ରାୟ ୩ ଲକ୍ଷ ଓ ୧୦ ଭରି ସୁନାଗହଣା ସହ ଅନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଘର ମାଲିକ ସନ୍ତୋଷ ସାହୁ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଲାହାର ତାଙ୍କ ଟିମ୍ ସହିତ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରାଯାଇଥିଲା। ସାଇଣ୍ଟିଫିକ୍ ଟିମ୍ ବିଭିନ୍ନ ନମୁନା ସଂଗ୍ରହ କରିଥିବାବେଳେ ସନ୍ଧାନୀ କୁକୁର ଚୋରି ହୋଇଥିବା ଘର ନିକଟରୁ ଜାତୀୟ ରାଜପଥ ଆମପାଣି ମୁଖ୍ୟରାସ୍ତା ଦେଇ ବିଜୁ ଏକ୍ସପ୍ରେସୱେ ହୋଇ ପୁଣି ଘର ପର୍ଯ୍ୟନ୍ତ ଫେରିଥିଲା। ହେଲେ ଚୋରି ସମ୍ପର୍କରେ କୌଣସି ସ୍ପଷ୍ଟ ଜଣାପଡିନାହିଁ। ଆମପାଣି ହେଉଛି କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଶେଷ ସୀମାନ୍ତରେ ଅବସ୍ଥିତ ରହିଛି। ଆମପାଣି ଗ୍ରାମରେ ପ୍ରଥମ ଥର ପାଇଁ ଏତେ ବଡ଼ ଧରଣର ଚୋରି ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି। ତେଣୁ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ଜନସାଧାରଣରେ ଦାବି ହୋଇଛି।
