ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ ପାର୍କିଙ୍ଗ ବ୍ୟବସ୍ଥା, ଖୁନ୍ଦାଖୁନ୍ଦିରେ ଚାଲିଛି କୋଠା ନିର୍ମାଣ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନଥିବା ଅଭିଯୋଗ ହେଉଛି। ଦୂର ଦୁରାନ୍ତରୁ ଆସୁଥିବା ରୋଗୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେରେ ବାଇକ ରଖି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଉଥିବା ବେଳେ ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଗାଡି ଯାତାୟାତରେ ବାଧା ସୃଷ୍ଟି ହେଉଛି। ସୁରକ୍ଷା କର୍ମୀ ମାନେ ଆମ୍ବୁଲାନ୍ସ ପାଇଁ ଜାଗା ଛାଡି ଗାଡି ପାର୍କିଂ କରିବା ପାଇଁ ପରାମର୍ଶ ଦେଉଥିବା ବେଳେ ଗାଡି ରଖିବା ପାଇଁ ଆବଶ୍ୟକ ଭିତ୍ତିଭୂମି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନାହିଁ। ପୋଡ଼ସୀ ବ୍ଲକ ନନ୍ଦାହାଣ୍ଡିରେ ଉନ୍ନତ ଭିତ୍ତିଭୂମି ସମ୍ପର୍ଣ୍ଣ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନୀୟ ସରୁଗୁଡା ଠାରେ ନିର୍ମାଣ ହୋଇ ଉଦଘାଟନ ସରିଛି।କିନ୍ତୁ ପରୀତାପର ବିଷୟ ତେନ୍ତୁଳିଖୁଣ୍ଟି ଠାରେ ଉକ୍ତ ଉନ୍ନତ ଭିତ୍ତିଭୂମି ଏବଂ ନୃତନ କୋଠା ନିର୍ମାଣ ପାଇଁ କିଛି ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହେଉଛି। ତେନ୍ତୁଳିଖୁଣ୍ଟି ବାସିଙ୍କୁ ପୁରୁଣା ଦଦରା କୋଠାରେ ରଙ୍ଗମାରି ସ୍ୱାସ୍ଥ୍ୟ ସେବା ଯୋଗାଯାଉଛି ଯେଉଁ କୋଠାର କାନ୍ଥ ଫାଟି ଆଁ କଲାଣି କହି ଅସନ୍ତୋଷ ପ୍ରକାଶ କରୁଛନ୍ତି ଅଞ୍ଚଳବାସୀ। ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବେଶ ଯତ୍ନବାନ ହୋଇ ଭିଭିନ୍ନ ବ୍ଲକରେ ଚକାଚକ ସ୍ୱାସ୍ଥକେନ୍ଦ୍ର ସ୍ଥାପନ କରୁଥିବା ବେଳେ ତେନ୍ତୁଳିଖୁଣ୍ଟି କୁ କାହିଁକି ଅଣଦେଖା ବୋଲି ପ୍ରଶ୍ନ କରି ଅସନ୍ତୋଷ ପ୍ରକାଶ କରୁଛନ୍ତି ଜନତା।ଲୋକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ନଥିବା ବେଳେ ଆଉ ଏକ ନୃତନ କୋଠା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ନିର୍ମାଣଧୀନ ରହିଛି। ଖୁନ୍ଦାଖୁନ୍ଦିରେ କୋଠା ନିର୍ମାଣ ଅପେକ୍ଷା ତୁରନ୍ତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାୟୀ କୋଠା ନିର୍ମାଣ ହେଲେ ଲୋକେ ଉପକୃତ ହୋଇପାରିବା ନେଇ ଦାବି ରଖିଛନ୍ତି ବୁଦ୍ଧିଜୀବୀ। ଏନେଇ ବରିଷ୍ଠ ନେତା ତଥା ବୁଦ୍ଧିଜୀବୀ ନାରାୟଣ ପାତ୍ର ମୁଖ୍ୟ ରାସ୍ତା କଡରେ ସରକାରୀ ଜାଗା ଦେଖି କୋଠା କାର୍ଯ୍ୟ କାହିଁକି ତୁରନ୍ତ କରାଯାଉନାହିଁ କହି ଅସନ୍ତୋଷ ପ୍ରକାଶ କରିଛନ୍ତି।