ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୈାମ୍ୟରଞ୍ଜନ ପାତ୍ର) : ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ବ୍ୟସ୍ତ ବହୁଳ ରାଜ୍ୟ ରାଜପଥ କିଡିଙ୍ଗ ନିକଟସ୍ଥ ବେହେରା ପୋଲ ପାଲଟିଛି ମରଣଯନ୍ତା। ଏହି ପୋଲରେ ଦିନ ପ୍ରତିଦିନ ଘଟୁଥିବା ଅନେକ ଛୋଟ ବଡ଼ ଦୁର୍ଘଟଣାକୁ ନେଇ ସାଧାରଣରେ ଏବେ ଚିନ୍ତାର କାରଣ ହୋଇଛି। ଆଜି ମଧ୍ୟ ଏକ ପିଚୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭବାନୀପାଟଣା ପଟୁ ବିଶାଖାପାଟଣା ପଟେ ଯାଉଥିବା ଏହି ପିଚୁ ବୋଝେଇ ଟ୍ରକ ଆଜି ସକାଳ ୩ଘଣ୍ଟା ସମୟରେ ବେହେରା ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡି ଏକ ଜମିରେ ଛିଡ଼ା ଅବସ୍ଥାରେ ରହିଛି। ଏଥିରେ ଡ୍ରାଇଭର ଆହାତ ହୋଇଥିବା ଜଣାପଡିଛି। ଅନ୍ୟ ଟ୍ରକ୍ ଡ୍ରାଇଭର ଓ ସ୍ଥାନୀୟ ଲୋକେ ଡ୍ରାଇଭରକୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଏ ସମ୍ପର୍କରେ ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମୁରଲୀ ମୋହନ ପିଡିକା ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ତେବେ ବିଭିନ୍ନ ସମୟରେ ଘଟି ଚାଲିଥିବା ଦୁର୍ଘଟଣା ତ୍ରୁଟିପୂର୍ଣ ବୁଲାଣି ଯୋଗୁ ବୋଲି ମତ ବ୍ୟକ୍ତ କରୁଛନ୍ତି। ଏପରି ସ୍ଥିତିରେ ଏହି ରାସ୍ତାରେ ହେଉଥିବା ଦୁର୍ଘଟଣା ପାଇଁ ସିଧାସଳଖ ଏବେ ବିଭାଗକୁ ଦାୟୀ କରିଛନ୍ତି ଲୋକେ। ସମସ୍ୟା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଜନ ସାଧାରଣରେ ଦାବି ହେଉଛି।
