ଦୁର୍ଗମ ଅଞ୍ଚଳରେ ନୂଆ ସମ୍ଭାବନା : ୧୨ ଶହ ଫୁଟ ପାହାଡ଼ ଚଢ଼ି ଗାଁକୁ ଗଲେ ଜିଲ୍ଲାପାଳ

ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ୍ ତ୍ରିଲୋଚନପୁର ପଞ୍ଚାୟତର ଦୁର୍ଗମ କୁନ୍ନାକାଡୁ ଗାଁ କୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଗସ୍ତ କରିଛନ୍ତି। ଗାଁ ଲୋକଙ୍କ ପାଇଁ  ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ (ଜନମନ) ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାହାଡ଼ ତଳେ ନିର୍ମାଣାଧୀନ ୮ଟି ଘରର ସ୍ଥିତି ଅନୁଧ୍ୟାନ କରିବାପରେ ଜିଲ୍ଲାପାଳ ପାଦଚଲା ରାସ୍ତା ଦେଇ ୧୨ ଶହ ଫୁଟ ପାହାଡ଼ ଉପରେ ଥିବା ଏହି ଗାଁକୁ ପହଞ୍ଚିଥିଲେ। ତେବେ ଘର ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସେମାନେ ବସବାସ କରୁଥିବା ଗାଁରେ ପାନୀୟ ଜଳ, ଚାଷ ପାଇଁ ନିୟମଗିରି ଝରଣାରୁ ଚେକ୍ ଡ୍ୟାମ୍ ଜରିଆରେ ଜଳଯୋଗାଣ, ଗାଁରୁ ନୂତନ ଘର ପର୍ଯ୍ୟନ୍ତ ରାସ୍ତା, ପରିବାର ପ୍ରତିପୋଷଣ ଆଦି ସଂପର୍କରେ ଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହାଛଡ଼ା ଜିଲ୍ଲାପାଳ ତ୍ରିଲୋଚନପୁର, ଫୁଲଡୁମେର ଗାଁକୁ ପରିଦର୍ଶନରେ ଯାଇ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ସେଠାରେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଆଦିବାସୀଙ୍କ ୧୨ଟି ଘର ନିର୍ମାଣ କାର୍ଯ୍ୟର ବି ଯାଞ୍ଚ କରିଥିଲେ। ଜିଲ୍ଲାପାଳଙ୍କ ସହିତ ଆଇଏଏସ୍ ପ୍ରୋବେସନର ଅନିମେଶ ପ୍ରଧାନ, ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ଜିଲ୍ଲା ଗ୍ରାମ୍ୟ ଗୃହନିର୍ମାଣ ପ୍ରକଳ୍ପ ପରିଚାଳକ ଅମୂଲ୍ୟ ବାଉଲ, କନିଷ୍ଠଯନ୍ତ୍ରୀ କାହ୍ନୁ ଟୁଡୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ନିୟମଗିରି ପାହାଡ଼ ଉପରେ ଥିବା କୁନ୍ନାକାଡୁ ଗାଁରେ ୮ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ଗାଁକୁ ରାସ୍ତା ନାହିଁ। ନଳକୂଅ ପାଣି, ବିଜୁଳି ଏବେ ବି ଅପହଞ୍ଚ ପାହାଡ଼ି ଝରଣାରୁ ପିଇବା ପାଣି ଆଣିବାକୁ ୯ ଶହ ଫୁଟ ତଳକୁ ଓହ୍ଲାଇବାକୁ ପଡ଼େ କାହାର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଲେ ଡାକ୍ତରଖାନା ନେବାକୁ ମଧ୍ୟ ସୁବିଧା ନାହିଁ। କିଛିବର୍ଷ ତଳେ ବ୍ଲକ୍ ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରୟାସ କରାଯାଇଥିଲା। ପାହାଡ଼ରୁ ତଳକୁ ଆସିଲେ ସେମାନଙ୍କ ପାଇଁ ସବୁ ସୁବିଧା କରି ଦିଆଯିବ ବୋଲି ଲୋକଙ୍କୁ ବୁଝାଇଥିଲା ପ୍ରଶାସନ। ହେଲେ ଗାଁ ମାଟି, ଧରଣୀକୁ ଛାଡ଼ିକି ଯିବେନି ସେମାନେ ସେଠାରୁ ଚାଲିଗଲେ ଧର୍‌ନୀ ଦେବତା କୋପ କରିବ ବୋଲି କହି ଆସି ନ ଥିଲେ। ୨୦୨୪ ମସିହାରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ତ୍ରିଲୋଚନପୁର ପଞ୍ଚାୟତ କୁନ୍ନାକାଡୁ ଗାଁକୁ ଗସ୍ତ କରି ଗାଁର ୮ ପରିବାରଙ୍କୁ ପାହାଡ଼ ଉପରୁ ତଳକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭକରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ ସାହୁଙ୍କ ସହ ଯାଇ ବହୁ ବୁଝାଇବା ପରେ ଗ୍ରାମବାସୀ ଶେଷରେ ତଳକୁ ଆସିବାକୁ ରାଜି ହୋଇଥିଲେ। ୨୦୨୪ ଡିସେମ୍ବର ୪ ତାରିଖରେ କୁନ୍ନାକାଡୁ ଗାଁର ୮ଟି ପରିବାରଙ୍କୁ ଗାଁରୁ ୧୨ ଶହ ଫୁଟ ତଳେ ଜାଗା ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ (ଜନମନ) ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍‌ଏୱାଇ-ଜି) ଯୋଜନାରେ ଘର ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଥିଲା।