ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନ ଆସନ୍ତା ୧୬ ଫେବୃଆରୀ ଠାରୁ ଆରମ୍ଭ ହେବାକୁ ଥିବାବେଳେ ଏ ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ଅଭିଯାନକାରୀ ତଥା ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ ଉପସ୍ଥିତ ବୈଦ୍ୟୁତିକ ତଥା ଛାପା ଗଣମାଧ୍ୟମରେ ବନ୍ଧୁ ମାନଙ୍କୁ ସ୍ବାଗତ ଜଣାଇବା ସହିତ ଓଡ଼ିଶାର ତିରିଶ ଗୋଟି ଜିଲ୍ଲାରେ ଥିବା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସାରସ୍ଵତ ସମ୍ପର୍କ ର ଏକ ସୂତ୍ର ରେ ବାନ୍ଧିବା ର ପ୍ରୟାସ ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକ ର ତଥ୍ୟ ସଂଗ୍ରହ ପୂର୍ବକ ” ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ : ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ” ଶୀର୍ଷକ ରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା ପ୍ରକାଶ କରିଥିଲେ। ଏଥି ସହିତ ଏହି ଅଭିଯାନ ଫେବୃଆରୀ ମାସ ୧୬ ତାରିଖ ସକାଳ ୧୦ ଘଣ୍ଟା ସମୟରେ ୫୧ ବର୍ଷ ଧରି ସାହିତ୍ୟ ସେବା କରିଥିବା ଓଡ଼ିଶା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପରିସରରେ ଅତିଥି ମାନଙ୍କ ଦ୍ଵାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ। ଏହି ଅଭିଯାନ କନ୍ଧମାଳ ଜିଲ୍ଲା ରୁ ଆରମ୍ଭ ହୋଇ ପ୍ରତିଦିନ ଗୋଟିଏ ଜିଲ୍ଲା ପରିଭ୍ରମଣ କରି କଳାହାଣ୍ଡି ରେ ମାର୍ଚ୍ଚ ମାସ ୧୮ ତାରିଖ ରେ ଶେଷ ହେବାର ଯୋଜନା ରହିଥିବା କହିଥିଲେ। ଏହି ଅଭିଯାନ ଟି ସମ୍ପାଦକ ନିଜ ଉଦ୍ୟମ ରେ କରିବାକୁ ଯାଉଥିବା କହିଛନ୍ତି। ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟ ରେ ଯୁଗ ଯାତ୍ରୀ ର ସହ ସଂପାଦକ ପରମାନନ୍ଦ ବିଶି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।