ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ ସହରର ଧାର୍ମିକ ସ୍ଥଳୀ, ପରିବେଶ ସୁରକ୍ଷା ଓ ପଶୁ ସୁରକ୍ଷା ସମ୍ପର୍କିତ ଦୁଇଟି ଗୁରୁତର ସମସ୍ୟାକୁ ନେଇ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ, ରାୟଗଡ଼ା ପକ୍ଷରୁ ରାୟଗଡ଼ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମାଁ ମଝିଘରିଆଣି ମନ୍ଦିର ପାଖରେ ଡମ୍ପିଂୟାର୍ଡ ନେଇ ଗୁରୁତର ଅଭିଯୋଗ। ରାୟଗଡ଼ ସହରର ଇଷ୍ଟଦେବୀ ମାଁ ମଝିଘରିଆଣି ମନ୍ଦିର ପାଖରେ ଥିବା ପୌରପାଳିକାର ଡମ୍ପିଂୟାର୍ଡ ଖୋଲା ଅବସ୍ଥାରେ ରହିଥିବାରୁ ସେଠାରେ ଅଳିଆ ଆବର୍ଜନା ଚାରିଦିଗରେ ଛିଟିଯାଉଛି। ଏହି ଡମ୍ପିଂୟାର୍ଡକୁ ଗାଈ ଓ ଅନ୍ୟ ପଶୁମାନେ ପ୍ରବେଶ କରି ପ୍ଲାଷ୍ଟିକ ଓ ବିଷାକ୍ତ ବର୍ଯ୍ୟ ବସ୍ତୁ ଖାଇ ଗୁରୁତର ରୋଗରେ ପୀଡ଼ିତ ହେଉଥିବା ସହ ମୃତ୍ୟୁବରଣ କରୁଥିବା ଘଟଣା ସାମ୍ନାକୁ ଆସିଛି। ଏହା ସହ ମନ୍ଦିର ପାଖରେ ଥିବା ପିକନିକ୍ ସ୍ଥଳୀରେ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନେ ଡମ୍ପିଂୟାର୍ଡରୁ ଉଡ଼ି ଆସୁଥିବା ଅଳିଆ ଓ ଦୁର୍ଗନ୍ଧରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଧାର୍ମିକ ସ୍ଥଳୀର ମର୍ଯ୍ୟାଦାକୁ ମଧ୍ୟ ହାନି ପହଞ୍ଚାଉଛି। ସଂଗଠନ ପକ୍ଷରୁ ଡମ୍ପିଂୟାର୍ଡ ଚାରିପାଖରେ ଶୀଘ୍ର ଫାଟକ ନିର୍ମାଣ କରି ଅଳିଆ ପକାଯାଉଥିବା ସମୟରେ ମାତ୍ର ଫାଟକ ଖୋଲିବା ଓ ପରେ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରାଯାଇଛି। ଲଣ୍ଡା ପାହାଡ଼ ଶିବ ମନ୍ଦିର ପରିସରରେ ଅସାମାଜିକ କାର୍ଯ୍ୟକଳାପ ନେଇ ତୀବ୍ର ପ୍ରତିବାଦ, ରାୟଗଡ଼ ପୌରପରିଷଦ ଅଧୀନ ଲଣ୍ଡା ପାହାଡ଼ ଶିବ ମନ୍ଦିର ପରିସରରେ ନିରନ୍ତର ଭାବରେ ଅସାମାଜିକ କାର୍ଯ୍ୟକଳାପ ଘଟୁଥିବା ନେଇ ସଂଗଠନ ଗଭୀର ଚିନ୍ତା ପ୍ରକାଶ କରିଛି। ମନ୍ଦିର ପରିସରରେ ଅଣ୍ଡା ମିଶ୍ରିତ କେକ୍ କାଟିବା, ମଦ୍ୟପାନ, ଧୂମ୍ରପାନ କରିବା ସହ ପ୍ଲାଷ୍ଟିକ ବୋତଲ ଓ ଅନ୍ୟାନ୍ୟ ଅବର୍ଜନା ଫିଙ୍ଗି ପରିବେଶ ପ୍ରଦୂଷଣ କରାଯାଉଥିବା ଅଭିଯୋଗ ଆସିଛି। ଏହା ଧାର୍ମିକ ପରିବେଶ ଓ ଜନସାଧାରଣଙ୍କ ଭାବନାକୁ ଗୁରୁତର ଭାବରେ ଆଘାତ ପହଞ୍ଚାଉଛି। ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଉଭୟ ସମସ୍ୟା ଉପରେ ପ୍ରଶାସନ ଶୀଘ୍ର ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
