ଝରିଗାଁରେ ୧୨ଘଣ୍ଟିଆ ଚକାବନ୍ଦ ପାଳନ

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଳକ ସଦର ମହକୁମାଠାରେ ସରକାରୀ ମେଡିକାଲ କଲେଜ ସ୍ଥାପନ, ଉମରକୋଟକୁ ସ୍ୱତନ୍ତ୍ର ସବ ଡିଭିଜନର ମାନ୍ୟତା ପ୍ରଦାନ ଓ ଜମି ବନ୍ଦୋବସ୍ତ ସମସ୍ୟାର ସ୍ଥାୟୀ ସମାଧାନ ଦାବୀରେ ଗର୍ଜି ମିଳିତ ସଂଗ୍ରାମୀ ମଞ୍ଚ ଆନ୍ଦୋଳନ ପଥକୁ ଓହ୍ଲାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଳକ ଠାରେ ମଙ୍ଗଳବାର ୧୨ଘଣ୍ଟିଆ ଚକା ଓ ବଜାର ବନ୍ଦ ପାଳନ କରାଯାଇଥିଲା।ନବରଙ୍ଗପୁର ଜିଲ୍ଲାର ଟାଣୁଆ କଂଗ୍ରେସ ନେତା ତଥା ଉମରକୋଟ ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡଙ୍କ ଆହ୍ୱାନ କ୍ରମେ ଏହି ବନ୍ଦ ପାଳନ ୪ ବ୍ଳକରେ ବନ୍ଦ ପାଳନ କରାଯାଇଥିବା ବେଳେ ଝରିଗାଁ ବ୍ଳକ କଂଗ୍ରେସ ସଭାପତି ତମ୍ବୁଦାସ ପନକାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମହେଶ୍ୱର ଭତରା, ଝରିଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ, ମହାଦେବ ମାଝୀ, ପବିତ୍ର ମାଟିଆ, ବୁଲୁ ଗୌଡ଼, ଭିକାରି ନାୟକ, ଗୋବିନ୍ଦା ପଟ୍ଟନାୟକ, ପ୍ରଫୁଲ୍ଲ ଗୌଡ଼, ଡମ୍ବରୁ ପନକା, ରବୀନ୍ଦ୍ର ନାୟକ, ମେଂଗ ହରିଜନ, ସୁବାଷ ସାଗର, ଶ୍ରୀଧର ସଗରିଆ, ସାଗର ଦାସ ପନକା ପ୍ରମୁଖ ଝରିଗାଁ-ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତାକୁ ଅବରୋଧ କରି ଯାନବାହାନ ଚଲାଚଳ ବନ୍ଦ କରିଥିବା ବେଳେ ଝରିଗାଁର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଅଖଚକ ବନ୍ଦ ରହିଥିବା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଥିଲା ।