ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ଆଧାରକାର୍ଡ କି ଭୋଟର ପରିଚୟ ପତ୍ର ନଥିବାରୁ ଦୀର୍ଘ ୪୦ ବର୍ଷରୁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ମୁଣ୍ଡାଗୁଡା ଗ୍ରାମର ଗୁରା ସାନ୍ତା (୭୮)। ଗୁରାଙ୍କ ସ୍ଵାମୀଙ୍କ ମୃତ୍ୟୁକୁ ୪୦ ବର୍ଷ ବିତଯାଇଥିଲେ ମଧ୍ୟ ପରିଚୟପତ୍ର ନଥିବାରୁ ବିଧବା ଭତ୍ତା ଖଣ୍ଡେ ପାଇବାରୁ ବାଦ୍ ପଡିଆସୁଛନ୍ତି। ତାଙ୍କର ଗୋଟିଏ ପୁଅ ସିଙ୍ଗି ସାନ୍ତା (୨୫) ରହିଛିନ୍ତି। ସ୍ଵାମୀଙ୍କ ମୃତ୍ୟୁ ପରେ ପୁଅଙ୍କ ଠାରେ ଦୟନୀୟ ଭାବେ ଆଶ୍ରୟ ନେଉଛନ୍ତି ଗୁରା। ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘର ଖଣ୍ଡେ ନାହିଁ, ମାଟି କାନ୍ଥରେ ବିତୁଛି ଦିନ। ସରକାରୀ ସହାୟତା କହିଲେ ପୁଅ ଓ ବହୁଙ୍କୁ ମିଳୁଥିବା ୧୦ କେଜି ଚାଉଳ ସେଥିରେ ୩ ପ୍ରାଣୀ କୁଟୁମ୍ବ ଚଲି ଯାଉଛନ୍ତି। ସଚେତନତା ଅଭାବ ସାଙ୍ଗକୁ ପ୍ରଶାସନ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ବି ମିଳିପାରିନାହିଁ । ପଞ୍ଚାୟତ ଠାରୁ ବ୍ଲକ, ଜିଲ୍ଲା ସ୍ତରରେ ଜନଶୁଣାଣୀ ଶିବିର ଆୟୋଜିତ ହେଉଛି । ହେଲେ ପ୍ରଶାସନିକ ଅଧିକାରୀଙ୍କ ସଚେତନର ଅଭାବ ଯୋଗୁଁ ଏହି ଭଳି ଅନେକ ହିତାଧିକାରୀ କିଛି ନଜାଣି ବଞ୍ଚିତ ରହିଛନ୍ତି । ଗୁରା ସାନ୍ତା ଭୋଟର ପରିଚୟ ପତ୍ର ଓ ଆଧାର କାର୍ଡ ପାଇଁ ଅନେକ ଥର ଆବେଦନ କରିଥିଲେ ହେଁ ଏଯାଏଁ ଭୋଟର କାର୍ଡ କି ଆଧାର କାର୍ଡ ହୋଇପାରିନି । ଫଳରେ ବିଧବା ଭତ୍ତା କି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରି ପାରୁନଥିବା ସେ ଦୁଃଖର ସହ ପ୍ରକାଶ କରିଛନ୍ତି । ତେଣୁ ପ୍ରଶାସନ ତତ୍ପରତା ଦେଖାଇ ଭୋଟର କାର୍ଡ ଓ ଆଧାର କାର୍ଡ କରିଦେବା ସହିତ ଯଥାଶୀଘ୍ର ଭତ୍ତା ଖଣ୍ଡେ ଯୋଗେଇ ଦେବାକୁ ଦାବୀ ହୋଇଛି |
