ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର(ମୁନ୍ନା ଦଳେଇ) : କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଦେଶରେ ଦଶ ଗୋଟି ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଦେଶ ବ୍ୟାପି ଧର୍ମ ଘଟ ଡାକରା ଦେଇଥିଲେ। ତାର ପ୍ରଭାବ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସମ୍ପୂର୍ଣ୍ଣ ଭାବେ ପଡ଼ିଥିବା ଦେଖାଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଚାରି ସଂହିତା, ବିହନ ବିଲ୍ ୨୦୨୫, ବିଜୁଳି ସଂଶୋଧନ ବିଲ ୨୦୨୫, ବିଭି ଜି ରାମ ଜି ଆଦିକୁ ରଦ୍ଦ ଦାବୀ କରି ଆଜିର ଧର୍ମଘଟ ଡାକରାରେ ତେନ୍ତୁଳିଖୁଣ୍ଟି ସଦରରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ତହସିଲ କାର୍ଯ୍ୟଳୟ ଲ୍ୟାମ୍ପ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ଗୋଷ୍ଠି ଶିକ୍ଷାଧିକାରୀ ଅଫିସ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଶ୍ରମିକ ସଙ୍ଗଠନ କର୍ମକର୍ତ୍ତା ସମେତ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା କୁର୍ମକୋଟ ଛକ ନିକଟରେ ରାସ୍ତାରୋକ କରି ବସିଥିଲେ। କଂଗ୍ରେସ ଦଳର ଅଖିଳ ଭତ୍ରା, ଭୀମ ସେନ ପାଣିଗ୍ରାହୀ, ସୁନୀଲ ସିଂ ସମେତ ରାଜମିସ୍ତ୍ରୀ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବ୍ଲକର ମୁଖ୍ୟ ମାର୍କେଟ ଅଞ୍ଚଳ ଇନ୍ଦ୍ରାବତୀରେ ମଧ୍ୟ ବନ୍ଦର ପ୍ରଭାବ ସମ୍ପୂର୍ଣ୍ଣ ରୂପେ ପରିଲକ୍ଷିତ ହୋଇଥିଲା। ମୁଖ୍ୟ ବଜାର ସମେତ ସହକାରୀ ମୁଖ୍ୟଯନ୍ତ୍ରୀ ଅଫିସ, ପୋଡ଼ାଗଡ ନିର୍ବାହୀ ଯନ୍ତ୍ରୀ ଅଫିସ, ମୁରାନ ଓ ଯାନ୍ତ୍ରିକ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଫିସକୁ ରାଜମିସ୍ତ୍ରୀ ସଂଘ କର୍ମକର୍ତ୍ତା ମାନେ ବନ୍ଦ କରାଇଥିଲେ। ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମଧ୍ୟ ବନ୍ଦ ରହିଥିଲା। ନିର୍ମାଣ ଶ୍ରମିକ ସଂଘ ସଭାପତି କିଶୋର ମହାଙ୍କୁଡ, କାହ୍ନୁଚରଣ ନାୟକ, ଗୋପୀନାଥ ଗୌଡ଼, ରମେଶ ଡଙ୍ଗ୍ରି, ପ୍ରମୁଖ କର୍ମକର୍ତ୍ତା ସାମିଲ ଥିଲେ।
