ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାର ଗୁଡା ଛକ ନିକଟରେ ମାଓ ପୋଷ୍ଟର ଦେଖାଯାଇଛି। ଏହି ପୋଷ୍ଟରଟି ସସିପିଆଇ ମାଓବାଦୀ ପକ୍ଷରୁ ଲେଖାଯାଇଥିବା ନେଇ କୁହାଯାଇଛି। ତେବେ ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ସବ୍ୟସାଚୀ ପଣ୍ଡା, ଆଜାଦ, ଉଦୟ ଓ ନିଖିଲ ଏମାନେ କେବେ ଆଦିବାସୀ ନଥିଲେ। ଆଦିବାସୀଙ୍କୁ ନକ୍ସଲରେ ରଖି ଅତ୍ୟାଚାର କରୁଥିଲେ। ଏହାକୁ ଜବାବ ଦେବାକୁ ରାଜ୍ୟ ସମ୍ପାଦକ ମେଘଜାନୀଓ ଡମ୍ବାଇ ମାଝୀ ଓ ମାଓ ସଂଗଠନ ପ୍ରସ୍ତୁତ ଅଛି ବୋଲି ଲେଖାଯିବା ସହିତ ଲାଲ ସଲାମ ଲେଖାଯାଇଛି। ଆଦିତ୍ୟ ବିର୍ଲା କମ୍ପାନୀ କେବିକେ ଅଞ୍ଚଳର ଲୋକଙ୍କୁ ଶୋଷଣ କରୁଥିଲେ ମଧ୍ୟ ସରକାର ନୀରବ ରହୁଛନ୍ତି। ତେଣୁ କମ୍ପାନୀକୁ ବିରୋଧ କରୁଥିବା ନେଇ ମଧ୍ୟ ଉଲ୍ଲେଖ କରାଯାଇଛି। ଏହା ସହିତ ରାୟଗଡା ବ୍ଲକ ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁମାଗୁଡ଼ା ବସଷ୍ଟପ ନିକଟରେ ମଧ୍ୟ ଏହି ମାଓ ପୋଷ୍ଟର ଲାଗି ଥିବା ଦେଖିବା କୁ ମିଳିଛି।
