ମହାବିଦ୍ୟାଳୟରେ ଏକ ଦିବସୀୟ ଜାତୀୟ ସଂପାନ ଆୟୋଜିତ

ରାୟଗଡ଼/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାୟଗଡଡାର ବାଣିଜ୍ୟ ବିଭାଗ ପକ୍ଷରୁ ଓଡ଼ିଶା ବାଣିଜ୍ୟ ସଂଗଠନର ସହଯୋଗରେ “ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା : ଏକ ବିକାଶ ଓ ଅନ୍ତର୍ଭୁକ୍ତ ବୃଦ୍ଧି ଦିଗରେ” ଶୀର୍ଷକରେ ଏକ ଦିନିଆ ଜାତୀୟ ସଂପାନ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ସରସ୍ୱତୀ ରାୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅଧ୍ୟକ୍ଷା ଡ଼. ରାୟ ନିଜ ଅଧ୍ୟକ୍ଷୀୟ ଉଦ୍‌ବୋଧନରେ କହିଥିଲେ ଯେ, ବିକଶିତ ଭାରତ ଗଠନ ପାଇଁ ଉଚ୍ଚ ଶିକ୍ଷା ସଂସ୍ଥାମାନେ ଗବେଷଣାମୁଖୀ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ସମାଜମୁଖୀ ଉନ୍ନତି ଦିଗରେ କାମ କରିବା ଆବଶ୍ୟକ। ଛାତ୍ରଛାତ୍ରୀମାନେ ନୂତନ ଚିନ୍ତାଧାରା ଓ ନବୀନ ଉଦ୍ୟମ ମାଧ୍ୟମରେ ରାଜ୍ୟ ଓ ଦେଶର ଉନ୍ନତିରେ ଅଂଶୀଦାର ହେବାକୁ ସେ ଆହ୍ୱାନ ଜଣାଇଥିଲେ। ମୁଖ୍ୟ ଅତିଥି ଭାବେ ଝାରଖଣ୍ଡ, ରାଞ୍ଚିସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରାଧ୍ୟାପକ ଡ଼. କେ . ବି. ସିଂ ଯୋଗଦେଇ ତାଙ୍କ ଉଦ୍‌ବୋଧନରେ ସମାବେଶୀ ଅର୍ଥନୈତିକ ବୃଦ୍ଧିର ଗୁରୁତ୍ୱ ଉପସ୍ଥାପନ କରି କହିଥିଲେ ଯେ, ଗ୍ରାମୀଣ ଓ ଅନୁନ୍ନତ ଅଞ୍ଚଳର ଉନ୍ନତି ବିନା ବିକଶିତ ଭାରତର ସ୍ୱପ୍ନ ସାକାର ହେବ ନାହିଁ। ସେ ଡିଜିଟାଲ୍‌ ଅର୍ଥନୀତି, କୌଶଳ ବିକାଶ ଓ ଯୁବପିଢ଼ିର ଭୂମିକାକୁ ଉଲ୍ଲେଖ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଫେସର କିଶୋର ଚନ୍ଦ୍ର ରାଉତ, ଅବସରପ୍ରାପ୍ତ ପ୍ରାଧ୍ୟାପକ, ବ୍ରହ୍ମପୁର ବାଣିଜ୍ୟ ଶିକ୍ଷାର ବିକାଶ ଓ ଉଦ୍ୟମ ସୃଷ୍ଟିରେ ଶିକ୍ଷାନୁଷ୍ଠାନମାନଙ୍କ ଭୂମିକା ବିଷୟରେ ବ୍ୟାପକ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ନୂତନ ଆର୍ଥିକ ନୀତି, ଷ୍ଟାର୍ଟଅପ୍‌ ସଂସ୍କୃତି ଓ ସ୍ଥାନୀୟ ସମ୍ପଦର ସଠିକ୍‌ ବ୍ୟବହାର ଓଡ଼ିଶାକୁ ଆର୍ଥିକ ଭାବେ ସଶକ୍ତ କରିପାରିବ। ସମ୍ମାନୀତ ଅତିଥି ପ୍ରଫେସର ବିଶ୍ୱମୋହନ ଜେନା, ଓଡ଼ିଶା ବାଣିଜ୍ୟ ସଙ୍ଗଠନ ମତ ପ୍ରକାଶ କରି କହିଥିଲେ ଯେ ଶିକ୍ଷକ, ଗବେଷକ ଓ ଶିଳ୍ପ ମଧ୍ୟରେ ସମନ୍ୱୟ ସୃଷ୍ଟି ହେଲେ ସମାବେଶୀ ବିକାଶ ସମ୍ଭବ। ସେ ଏପରି ଜାତୀୟ ପାଠଚକ୍ର ଜ୍ଞାନ ବିନିମୟର ଏକ ଶକ୍ତିଶାଳୀ ମଞ୍ଚ ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକଟ ବିଜ୍ଞାନ ମହାବିଦ୍ୟାଳୟ, ବାଣିଜ୍ୟ ବିଭାଗର ଅଧ୍ୟାପକ ପ୍ରଫେସର ପ୍ରଫୁଲ୍ଲ ରଥ ଅର୍ଥନୈତିକ ବିକାଶ ଓ ଆଧୁନିକ ବାଣିଜ୍ୟ ବ୍ୟବସ୍ଥାର ଭୂମିକା ବିଷୟରେ ମୂଲ୍ୟବାନ ଉଦ୍‌ବୋଧନ ରଖିଥିଲେ। ବାଣିଜ୍ୟ ବିଭାଗର ବିଭାଗ ମୁଖ୍ୟ ଅଧ୍ୟାପକ ସୁବ୍ରତ ପ୍ରଧାନ କାର୍ଯ୍ୟକ୍ରମ ସମନ୍ୱୟକାରୀ ଭାବେ ସଂପାନକୁ ପରିଚାଳନା କରିଥିଲେ। ଉଦ୍‌ଘାଟନୀ ଅଧିବେଶନ ଡ଼ଃ ମାନସୀ ମହାନ୍ତି ଅତିଥିଙ୍କୁ ମଞ୍ଚ ଆହ୍ବାନ କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଉଦ୍‌ଘାଟନ ପରେ ମୋଟ ୪ଟି ପ୍ରାଯୁକ୍ତିକ ଅଧିବେଶନ ଅନଲାଇନ୍‌ ଓ ଅଫଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ଯୋଗଦେଇଥିବା ଗବେଷକ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ନିଜ ଗବେଷଣା ପତ୍ର ଉପସ୍ଥାପନ କରିଥିଲେ। ପରେ ସମାପନୀ ଅଧିବେଶନ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଡ଼. ପ୍ରଣୟ ପରାଶର, ସହାୟକ ପ୍ରାଧ୍ୟାପକ, କେନ୍ଦ୍ରୀୟ ବିଶ୍ଵିଦ୍ୟାଳୟ, ଝାଡ଼ଖଣ୍ଡ ଯୋଗ ଦେଇଥିଲେ। ଶେଷରେ ସଂପାନରେ ଅନଲାଇନ୍‌ ଓ ଅଫଲାଇନ୍‌ ମାଧ୍ୟମରେ ଯୋଗଦେଇ ଗବେଷଣା ପତ୍ର ପ୍ରସ୍ତୁତ କରିଥିବା ସମସ୍ତ ଅଂଶ ଗ୍ରହଣକାରଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପି.ଜି. କାଉନସିଲ୍ ଚେୟାରମେନ ପି. ଅରୁଣ କୁମାର ଧନ୍ୟବାଦ ଜ୍ଞାପନ କରି ସମସ୍ତ ଅତିଥି, ଅଂଶଗ୍ରହଣକାରୀ ଓ ଆୟୋଜକମାନଙ୍କୁ କୃତଜ୍ଞତା ଜଣାଇଥିଲେ। ବହୁ ସଂଖ୍ୟକ ଗବେଷକ, ଅଧ୍ୟାପକ ଓ ଛାତ୍ରଛାତ୍ରୀ ପତ୍ର ଉପସ୍ଥାପନ କରି ଜାତୀୟ ସଂପାନକୁ ସଫଳ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବାଣିଜ୍ୟ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *