ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଦେଶର ଏକତା, ଅଖଣ୍ଡତା ଓ ଶାନ୍ତି ପ୍ରତିଷ୍ଠାକୁ ବଜାଇ ରଖିବା ପାଇଁ ଭାରତୀୟ ସେନାର ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ, ବଳିଦାନ ଓ କର୍ତ୍ତ୍ୟବ୍ୟ ନିଷ୍ଠା ଅତୁଳନୀୟ। ଭାରତର ସୁରକ୍ଷା ପାଇଁ ଆତଙ୍କବାଦ ବିରୋଧରେ ଲଢ଼େଇ ଅପରେସନ ସିନ୍ଦୂରରେ ଭାରତୀୟ ସେନାର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି। ଭାରତର ବୀର ସୈନିକ ମାନଙ୍କ ସଫଳତା ଓ ସାହସିକ ପଦକ୍ଷେପକୁ ଉତ୍ସାହିତ କରିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ସାଂସଦ ଲୋକସଭା କଳାହାଣ୍ଡି, ମାଳବିକା ଦେବୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରାଯାଇଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରା ଜିଲ୍ଲା କାରାଗାର ଛକ, ନୂଆ ବସ୍ ଷ୍ଟାଣ୍ଡ, ଘୋଡ଼ଘାଟ ଛକ, ସତ୍ୟମ୍ ସିନେମା ହଲ୍, ଦୟାନିଧି ଛକ, ମାଣିକେଶ୍ଵରୀ ଛକ, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଛକ ଦେଇ ପୁରୁଣା ବସଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) ବଇତୁରା ଦୀପ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ, ୬୪ ବାଟାଲିୟନ କମାଣ୍ଡଡେଣ୍ଟ ପଙ୍କଜ ଚୌଧୁରୀ, ଉପ ଜିଲ୍ଲାପାଳ ଧର୍ମଗଡ଼ ଧିମାନ ଚକମା, ଉପ ଜିଲ୍ଲାପାଳ ଭବାନୀପାଟଣା, ପ୍ରଭାତ କୁମାର ପରିଡା, ୬୪ ବାଟାଲିୟନ ସେକେଣ୍ଡ ଇନ୍ କମାଣ୍ଡେଣ୍ଟ ପି କେ ମିଶ୍ର, ଡେପୁଟି କମାଣ୍ଡେଣ୍ଟ ସଚିଦାନନ୍ଦ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜନପ୍ରତିନିଧି, ବେସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ ର କର୍ମକର୍ତ୍ତା, ସ୍ଵେଚ୍ଛାସେବୀ, ପୋଲିସ ବାହିନୀ, ଏନ୍ ସି ସି ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି, ଜନସାଧାରଣ ପ୍ରମୁଖ ଯୋଗଦେଇ ଭାରତୀୟ ସେନାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ହାତରେ ତ୍ରିରଙ୍ଗା ଧରି ଭାରତର ସୁରକ୍ଷା ପ୍ରତ୍ୟେକ ନାଗରିକର କର୍ତ୍ତ୍ୟବ୍ୟ ବୋଲି ଦେଶଭକ୍ତି ନାରା ଭାରତ ମାତା କି ଜୟ, ବନ୍ଦେ ମାତରମ୍, ଜୟ ଜବାନ ଜୟ କିଷାନ ସ୍ଲୋଗାନ୍ ରେ ସହର ପ୍ରକମ୍ପିତ ହୋଇଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଶହଶହ ଲୋକ ସାମିଲ ହୋଇଥିଲେ।