ଅଭିଯୋଗ ପରେ ମଧ୍ୟ ସୁଧୁରୁ ନାହିଁ ଠିକା ସଂସ୍ଥା
କୋକସରା : କୋକସରା ବ୍ଳକର ୨୨ ଗୋଟି ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଖୁଟୁଲୁଗୁଡା ନିକଟରେ ବହୁମୁଖୀ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ଠିକା ସଂସ୍ଥା ପକ୍ଷରୁ ପ୍ରତି ଗାଁରେ ପାଇପ୍ ବିଛା କାର୍ଯ୍ୟ ଜାରି ରହିଛି। ଜାତୀୟ ରାଜପଥଠାରୁ ଆରମ୍ଭ କରି ପ୍ରତିଗାଁର ଗଲି କନ୍ଦି ସବୁ ରାସ୍ତାରେ ପାଇପ୍ ବିଛା ଯାଉଛି। ହେଲେ ଠିକା ସଂସ୍ଥା ପକ୍ଷରୁ ଜେସିବି ମଧ୍ୟରେ ରାସ୍ତା ଗୁଡ଼ିକ କୁ ନିଜ ମନ୍ ମର୍ଜିରେ ଖୋଲି ପାଇପ୍ ବିଛାଉ ଥିବାବେଳେ ପରବର୍ତ୍ତୀ ସମୟରେ ରାସ୍ତା ଅବସ୍ଥା ବେହାଲ କରି ଛାଡ଼ି ଦେଉଛି। ରାସ୍ତା ଖୋଲିବା ପରେ ସମ୍ପୃକ୍ତ ଠିକା ସଂସ୍ଥା କଚା ରାସ୍ତା ହେଉ ଅବା ପକ୍କା ରାସ୍ତା ସବୁଠାରେ ମାଟି ପକାଇ ଛାଡି ଦେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କଲେ ପରବର୍ତ୍ତୀ ସମୟରେ କଂକ୍ରିଟ କିମ୍ବା ରାସ୍ତା ଅନୁପାତରେ କାର୍ଯ୍ୟ କରି ଦିଆଯିବ ବୋଲି ସଫେଇ ଦେଉଛନ୍ତି। ଏବଂ ମାସ ମାସ ପରେ ମଧ୍ୟ ଉକ୍ତ ରାସ୍ତା ଗୁଡିକକୁ ମରାମତି କରୁ ନାହାଁନ୍ତି। ଯାହା ଫଳରେ ଦିର୍ଘ ବର୍ଷ ପରେ ଗାଁ ଗୁଡ଼ିକରେ ହୋଇଥିବା ପକ୍କା ରାସ୍ତା ଅଳ୍ପ ଦିନ ମଧ୍ୟରେ ବରବାଦ ହୋଇଯାଉଛି। ଅନ୍ୟପଟେ ରାସ୍ତାକୁ ମାଟି ଖୋଲିବା ପରେ ଠିକ୍ ଭାବରେ ସମତୁଲ ମଧ୍ୟ କରୁ ନଥିବାରୁ ଲୋକେ ଝୁଣ୍ଟିପଡି ଖଣ୍ଡିଆ ଖାବରା ହେଉଛନ୍ତି। ଏମିତିକି ଦିନରେ ଚାଲି ଯାଉଥିବାବେଳେ ରାତିରେ ଦୁର୍ଦ୍ଦଶା ଭୋଗୁଛନ୍ତି। ରାସ୍ତା ଖୋଲିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତବିଭାଗ ଭଲି ବିଭିନ୍ନ ବିଭାଗଠାରୁ ସମ୍ପୃକ୍ତ ଠିକାସଂସ୍ଥା କୈାଣସି ଅନୁମତି ମଧ୍ୟ ନେଇ ନଥିବା ଜଣାପଡ଼ିଛି। ରାସ୍ତା ଖୋଲାକୁ ଉକ୍ତ ବିଭାଗର ଅଧିକାରୀମାନେ ବାରମ୍ବାର ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାରି ଠିକାସଂସ୍ଥାକୁ ତାଗିଦ୍ କରିଥିଲେ ମଧ୍ୟ ଉକ୍ତ ସଂସ୍ଥା ନିଜର ମନମାନି ଚଲାଇ ଆସୁଛି। ଏନେଇ ସମ୍ପୃକ୍ତ ଠିକା ସଂସ୍ଥା ଉପରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନେଇ ନିକଟରେ କୋକସରା ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରରେ ମଧ୍ୟ ଅଭିଯୋଗ କରିଛନ୍ତି। ଏ ବିଷୟରେ ସମ୍ପୃକ୍ତ ନିର୍ମାଣକାରୀ ଠିକା ସଂସ୍ଥାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ।