ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ହିଁ ରାଜ୍ୟ ତଥା ଦେଶର ବିକାଶ ପାଇଁ ରାସ୍ତା ପ୍ରଶସ୍ତ କରିବ। ଏ କଥାକୁ ହୃଦୟଙ୍ଗମ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଜରିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶକୁ ଆଗେଇ ମଧ୍ୟ ନେଉଛନ୍ତି। ହେଲେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଳକରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସରକାର ଝରିଗାଁ ବ୍ଳକରେ ରହୁଥିବା ଗ୍ରାମାଞ୍ଚଳ ଗୁଡିକର ବିକାଶ ପାଇଁ କୋଟି କୋଟି ଟଙ୍କା ପଠାଇ ଥିଲେ ହେଁ ଏଠାରେ କିନ୍ତୁ ବିକାଶର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି। ଯାହା ସୂଚନା ମିଳୁଛି ଆର୍ଥିକ ବର୍ଷ ୨୦୨୪-୨୫ରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ୫କୋଟି ୮୫ଲକ୍ଷ ଟଙ୍କା ଆସିଥିଲା। ତେବେ ୧୩୩ଟି ପ୍ରୋଜେକ୍ଟ ପାଇଁ ଟଙ୍କା ଆସିଥିବାବେଳେ ତନ୍ମଧ୍ୟରୁ ମାତ୍ର ୮୫ଟି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି। ବଳକା ରହିଥିବା ୪୮ଟି ପ୍ରୋଜେକ୍ଟ କେବେ ସମ୍ପୂର୍ଣ୍ଣ ହେବ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାର ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ମଞ୍ଜୁରୀ କରୁଥିବା ସତ୍ତ୍ୱେ ବ୍ଳକ ପ୍ରଶାସନର କଚ୍ଛପ ଗତି ପାଇଁ ଅଞ୍ଚଳର ବିକାଶ ଅଟକି ରହୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ପ୍ରଶାସନ ଯଦି ତତ୍ପରତା ଦେଖାଇଥାନ୍ତେ ତେବେ ହୁଏତ ଅଞ୍ଚଳର ବିକାଶ ଦ୍ରୁତ ଗତିରେ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଥିବାବେଳେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ସତେ ଯେମିତି ବାଟବଣା ହେଲା ପରି ମନେ ହେଉଛି।
