ରାୟଗଡ଼ରେ ବର୍ଣ୍ଣବୋଧ ଦିବସ ପାଳିତ

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଆଜି ବର୍ଣ୍ଣବୋଧ ଦିବସ ପାଳିତ ହୋଇଛି। ସ୍ଥାନୀୟ ଗାନ୍ଧିନଗର ଏବଂ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ଏହି ଦିବସରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ରାୟଗଡ଼ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ସ୍ମୃତି ରେଖା ନାୟକ, ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର,  ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବାତରିଆ ଓ ପ୍ରମିଳା ପଣ୍ଡା ପ୍ରମୁଖ ଯୋଗଦେଇ ଶିଶୁବାଟିକା, ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ପିଲାଙ୍କୁ ଛବିଳ ବର୍ଣ୍ଣବୋଧ ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପିଲାଙ୍କୁ ଶିଶୁ ଲେଖା ଗଳ୍ପ ପୁସ୍ତକ ବଣ୍ଟନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ। ଜିଲ୍ଲାପାଳ ରାୟଗଡଙ୍କ ପତ୍ର ସଂଖ୍ୟା ୯୪୯ ତା ୩୦.୩.୨୦୨୬ ଅନୁସାରେ ଜିଲ୍ଲାରେ ଓଡ଼ିଶା ଦିବସ ଠାରୁ ଓଡିଆ ପକ୍ଷ ପାଳନ କରାଯାଉଛି। ପଞ୍ଚାୟତ ସମିତି ରାୟଗଡ଼ ତରଫରୁ କୁନି କୁନି ପିଲାଙ୍କୁ ବର୍ଣ୍ଣବୋଧ ସହ ମିଷ୍ଟାନ୍ନ ମଧ୍ୟ ବଣ୍ଟନ କରାଯାଇଥିଲା। ଓଡିଆ ଭାଷା ଓ ସାହିତ୍ୟର ସୁରକ୍ଷା ନିମନ୍ତେ ବର୍ଣ୍ଣବୋଧର ଆବଶ୍ୟକତା ବିଷୟରେ ପିଲାଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ପିଲାଏ ମାନଛୁଆଁ ଗୀତ ଓ ଗପ କହି ସମସ୍ତ ଶିଶୁଙ୍କ ମନ ମୋହିଥିଲେ। ସେହିଭଳି ଅନେକ ବିଦ୍ୟାଳୟ ସ୍ତରରେ ଛବିଳ ବର୍ଣ୍ଣବୋଧ ପିଲାଙ୍କୁ ବଣ୍ଟନ କରାଯାଇ ବ୍ଲକ ସ୍ତରୀୟ ବର୍ଣ୍ଣବୋଧ ଦିବସ ପାଳନ କରାଯାଇଥିଲା। ବର୍ଣ୍ଣବୋଧ ରେ ସୁଲଳିତ କବିତା, କ୍ଷୁଦ୍ର ଗଳ୍ପ ସହ ଯୁକ୍ତାକ୍ଷର ଆଦି ଶିକ୍ଷାର ବ୍ୟବସ୍ଥା ଥିବାରୁ ଏହା ଓଡିଆ ଭାଷା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଅଟେ। ଶିଶୁବାଟିକା ତଥା ବିଦ୍ୟାଳୟ ଶିକ୍ଷାର ପ୍ରାରମ୍ଭରେ ବର୍ଣ୍ଣବୋଧ ପିଲାଙ୍କ ଭାଷାଶୁଦ୍ଧି ସହ ମାତୃଭାଷାର ମୂଳଦୁଆକୁ ସୁଦୃଢକରେ। ଏଣୁ ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡିଆ ଭାଷା ପ୍ରତିଷ୍ଟାନ ତରଫରୁ ଏହାକୁ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଉଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ କହିଛନ୍ତି। ପ୍ରତି ବିଦ୍ୟାଳୟରେ ପିଲାଙ୍କୁ ବର୍ଣ୍ଣବୋଧରୁ ଶିକ୍ଷାର ପ୍ରାରମ୍ଭ ହେଲେ ପିଲାଙ୍କ ଭାଷାର ବିକାଶ ହେବା ସହ ବନାନ ଶୁଦ୍ଧି ହୋଇପାରିବ ବୋଲି ଏବିଡିଓ କାଳୁ ଚରଣ ନାୟକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *