କୋକସରା/କ୍ରାନ୍ତିକ୍ଷେତ୍ର : ମେଡିକାଲ ବେଡ୍ ରେ ରହିଥିବା ଜଣେ ମହିଳା ରୋଗୀଙ୍କୁ ବି ପୋଜିଟିଭ ରକ୍ତର ଅତି ଆବଶ୍ୟକ ରହିଥିଲା। ରକ୍ତ ଭଣ୍ଡାରେ ଏହି ପୋଜିଟିଭ ରକ୍ତ ନ ଥିବାରୁ ଚିନ୍ତାରେ ପଡ଼ିଯାଇଥିଲେ ରୋଗୀଙ୍କ ପରିବାର ଲୋକେ। ପରିବାର ଓ ସମ୍ପର୍କୀୟ ମାନେ ‘ବି’ ପୋଜିଟିଭ ରକ୍ତ ପାଇଁ ବିଭିନ୍ନ ସ୍ଥାନକୁ ଯୋଗାଯୋଗ କରୁଥିଲେ। ଠିକ୍ ଏହି ସମୟରେ କୋକସରା ବ୍ଳକର ଆମ୍ବୁଲାନ୍ସ କର୍ମଚାରୀ ନରେଶ କୁମାର ନାଏକ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି। ସୂଚନା ଅନୁସାରେ, କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମର କୈକେୟୀ ଛତ୍ରିଆ(୫୫) ରକ୍ତଚାପ ଓ ହାର୍ଡ ସମସ୍ୟା ପାଇଁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପାଇଁ ‘ବି’ ପୋଜିଟିଭ ରକ୍ତର ଆବଶ୍ୟକତା ରହିଥିଲା। ରକ୍ତ ଭଣ୍ଡାରେ ମଧ୍ୟ ଏହି ପୋଜିଟିଭ ରକ୍ତ ଷ୍ଟକ୍ ନ ଥିବାରୁ ଚିନ୍ତାରେ ପଡ଼ିଯାଇଥିଲେ। କୋକସରା ବ୍ଳକର ଆମ୍ବୁଲାନ୍ସ କର୍ମଚାରୀ ନରେଶ କୁମାର ନାଏକ ମେଡିକାଲ କୁ ଯାଇଥିବାବେଳେ ଏହି ଖବର ଜାଣିବାକୁ ପାଇଥିଲେ। ଏହାପରେ ସେଠାକାର ରକ୍ତ ଭଣ୍ଡାର କୁ ଯାଇ ରକ୍ତଦାନ କରି ନିଜର ମହନୀୟତା ଦେଖାଇଛନ୍ତି। ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା ଯୋଗାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଖାଲି ସେତିକି ନୁହେଁ ଦରକାର ସମୟରେ ଏହି କର୍ମଚାରୀମାନେ ପ୍ରାୟତଃ ନିଜ ଜୀବନକୁ ବିପଦରେ ପକାଇ ଅନ୍ୟର ଜୀବନ ବଞ୍ଚାଇବାକୁ ମଧ୍ୟ ପ୍ରାଧାନ୍ୟ ଦେଇଥାନ୍ତି। ତେବେ ଆବଶ୍ୟକ ସମୟରେ ରକ୍ତଦାନ କରି ପୁଣିଥରେ ଏ କଥାକୁ ଆମ୍ବୁଲାନ୍ସ କର୍ମଚାରୀ ନରେଶ କୁମାର ନାଏକ ପ୍ରମାଣିତ କରିଛନ୍ତି।
