କଲମପୁର ପ୍ରେସ ପ୍ରୀମିଅର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମୀନଗୁର ଖେଳ ପଡିଆ ଠାରେ କଲମପୁର ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ କଲମପୁର ପ୍ରେସ ପ୍ରିମିୟମ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଦିନ ଶୁଭ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟଟି ଚଲିତ ମାସ ୧୫ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବାକୁ ଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ୧୧ ଗୋଟି ଗ୍ରାମ ପଞ୍ଚାୟତର ଗୋଟିଏ ଲେଖାଁଏ ଦଳ ସମେତ ସାମ୍ୱାଦିକ ଦଳ, ଶିକ୍ଷକ କ୍ରିକେଟ ଦଳ , ବିଦ୍ୟୁତ ବିଭାଗ ଦଳ, ପିଇଓ – ଏଡିଓ ଏବଂ ବ୍ଲକ କର୍ମଚାରୀ ଦଳ ସମେତ ୧୬ଟି ଦଳ ଭାଗ ନେଇଛନ୍ତି। ସର୍ବ ପ୍ରଥମେ ସକାଳ ୯ଘଣ୍ଟା ସମୟରେ ମୀନଗୁର ମାଣିକେଶ୍ଵରୀ ମନ୍ଦିରରୁ ମଶାଲ ଯାତ୍ରା ବାହାରି ଖେଳ ପଡିଆ ଠାରେ ପହଞ୍ଚି ଥିଲା। ଉଦଘାଟନୀ ମ୍ୟାଚରେ ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ମୁଖ୍ୟ ଅତିଥି, ମୀନଗୁର ଗ୍ରାମ ପଞ୍ଚାୟତ ସରପଞ୍ଚ ନିହାରିକା ବେହେରା ସ୍ଵତନ୍ତ୍ର ଅତିଥି , ଆୟୋଜକ କମିଟିର ଅଧ୍ୟକ୍ଷ ଦୀପକ କୁମାର ସାହୁ,ସଭାପତି ଚକ୍ରଧର ନାଏକ, ସମ୍ପାଦକ ଗଣେଶରାମ ବାଗ ପ୍ରମୁଖ ମଞ୍ଚାସିନ ଥିଲେ। ସାମ୍ବାଦିକ ଶଙ୍କର୍ଷଣ ବେହେରା,ଶୁଭେନ୍ଦୁ କୁମାର ପଣ୍ଡା,ମହମ୍ମଦ ମଞ୍ଜୁର ଇଲାହି,କେଶବ ସୁନାନୀ,ରଞ୍ଜନ କୁମାର ସାହୁ,ଶରତ ଚନ୍ଦ୍ର ସୁନାନୀ,ଭୋଜରାଜ ଛତ୍ରିଆ, , ବାସୁଦେବ ଛତ୍ରିଆ,ସଞ୍ଜୀବ ଠାକୁର,ସଞ୍ଜୟ କୁମାର ସାହୁ, ରାଜେଶ ସାହୁ , ଶିବ ମହାରଣା, ଦର୍ଶନ ଗୁପ୍ତା ପ୍ରମୁଖ ମଞ୍ଚ ଉଦଘାଟନ କରିବା ସହ ମାଁ ମାଣିକେଶ୍ଵରୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିବା ସହ ପତାକା ଉତ୍ତୋଳନ କରି ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟର ମ୍ୟାଚ ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ଦଳ ଓ ମଣ୍ଡଳ ଗ୍ରାମ ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ଦଳ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭର ଖେଳରେ ୫ ୱିକେଟ ବିନିମୟରେ ୧୩୬ରନ ସଂଗ୍ରହ କରିଥିଲେ । ଜବାବରେ ମଣ୍ଡଳ ଗ୍ରାମ ପଞ୍ଚାୟତ ଖେଳାଳି ଦଳ ୧୦ ଓଭରରେ ୨ ୱିକେଟ ବିନିମୟରେ ୧୦୨ରନ କରି ପରାଜୟ ବରଣ କରିଥିଲେ । ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚରେ ସମ୍ମାନିତ ହୋଇଥିଲେ ଇଛାମୟ ପୁଝାରୀ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଦେପୁର ଗ୍ରାମ ପଞ୍ଚାୟତ ବନାମ ବିଜମରା ଗ୍ରାମ ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବିଜମରା ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୭୯ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ଦେପୁର ଦଳ ୬.୫ ଓଭରରେ ୮୦ ରନ ସଂଗ୍ରହ କରି ୮ୱିକେଟ ରେ ବିଜୟ ହୋଇଥିଲେ। ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ପ୍ରବୀଣ ବଛା ପାଇଥିବାବେଳେ ମହମ୍ମଦ ସାହିନ୍ ଇଲାହୀ,ସୁରେଶ ବନ୍ଦିଛୋଡ ଓ ରୋହିତ କୁମାର ପଣ୍ଡା ଖେଳ ପରିଚାଳନା କରିଥିଲେ। ଶାଶ୍ଵତ ପଣ୍ଡା ଓ ରଞ୍ଜନ କୁମାର ସାହୁ ଖେଳର ଧାରା ବିବରଣି ପ୍ରଦାନ କରିଥିଲେ। ଶ୍ରୀକାନ୍ତ ପଣ୍ଡା ଏବଂ ବିଜୁ ପାଣିଗ୍ରାହୀ ସ୍କ୍ରୋର୍ ବୋର୍ଡର ଦାୟିତ୍ଵ ନିର୍ବାହ କରିଥିଲେ। ଖେଲ ପରିଚାଳନା କମିଟି ତଥା ପ୍ରେସ କ୍ଲବର ସମସ୍ତ ସଭ୍ୟ ପ୍ରମୁଖ ସମ୍ପୂର୍ଣ ସହଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *