ବାମପନ୍ଥୀ ଦଳର ରାଜ୍ୟବ୍ୟାପୀ ଆନ୍ଦୋଳନ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : କଳାହାଣ୍ଡି ଜିଲ୍ଲାର ସିଜିମାଳି ପର୍ବତ ଅଂଚଳରେ ବେଦାନ୍ତର ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପର ବାତିଲ ଦାବିରେ ଓ ତା’କୁ ବିରୋଧ କରୁଥିବା ସାଧାରଣ ଲୋକଙ୍କ ଉପରେ ପୋଲିସର ଦମନ ବିରୁଦ୍ଧ ତଥା ଅନ୍ୟାନ୍ୟ ଦାବି ନେଇ ୪ଟି ବାମପନ୍ଥୀ ଦଳ ପକ୍ଷରୁ ରାଜ୍ୟବ୍ୟାପି ପ୍ରତିବାଦ ଦିବସ ପାଳିତ ହୋଇଯାଇଛି। ଏସ୍‌ୟୁସିଆଇ(କମ୍ୟୁନିଷ୍ଟ), ସିପିଆଇ(ଏମଏଲ) ରେଡ଼ଷ୍ଟାର, ସିପିଆଇ(ଏମଏଲ) ଓ ସିପିଆଇ(ଏମଏଲ) ନିଉ ଡ଼େମୋକ୍ରାସି ପକ୍ଷରୁ ଦିଆଯାଇଥିବା ଏହି ପ୍ରତିବାଦ ଦିବସ ଡାକରା ପରିପ୍ରେକ୍ଷୀରେ ଆଜି ରାୟଗଡା ଜିଲ୍ଲା ଗୁଣପୁରଠାରେ ଚାଷୀ, ମୂଲିଆ ଓ ଆଦିବାସୀମାନଙ୍କ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ସିପିଆଇ(ଏମଏଲ) ନିଉ ଡ଼େମୋକ୍ରାସି ପାର୍ଟି ପକ୍ଷରୁ ସ୍ଥାନୀୟ ଜିଆଇଇଟି ୟୁନିଭେର୍ସିଟି ଛକଠାରୁ ଏକ ବିଶାଳ ପଟୁଆର ବାହାରି ସରକାର ଓ କମ୍ପାନୀ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଗୁଣୁପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ସିପିଆଇ(ଏମଏଲ) ନିଉ ଡ଼େମୋକ୍ରାସିର ଜିଲ୍ଲା କମିଟି ସଦସ୍ୟ ଅର୍ଜୁନ ଶବର, ବୁଦ୍ଧଦେବ ଶବର, ସରସ୍ଵତୀ ଶବର ଓ ରାଜୁ ଜେନାଙ୍କ ନେତୣତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳକରୁ ଶହ ଶହ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। ବିକ୍ଷୋଭରେ ବକ୍ତାମାନେ ନିଜର ବକ୍ତବ୍ୟ ରଖି ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ଵରେ ବିଜେପିର ଡବଲ ଇଂଜିନ ସରକାର ଦେଶୀ ବିଦେଶୀ ବୃହତ୍ତ କର୍ପୋରେଟମାନଙ୍କ ଏଜେଣ୍ଟ ସାଜି ଜମି, ଜଙ୍ଗଲ ଓ ପାଣିକୁ ସେମାନଙ୍କୁ ଟେକିଦେବାରେ ଲାଗିଛି ବୋଲି କହିଥିଲେ। କମ୍ପାନୀ କବଳରୁ ନିଜର ଜମି, ଜଙ୍ଗଲ ଓ ପାହାଡକୁ ରକ୍ଷା କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଧାରଣ ଲୋକେ ବିଶେଷ କରି ଆଦିବାସୀମାନେ ଗଣତାନ୍ତ୍ରିକ ପଦ୍ଧତିରେ ସଂଘର୍ଷ କରୁଛନ୍ତି। କିନ୍ତୁ ଦୁଃଖର କଥା ସରକାର କମ୍ପାନୀର ବୋଲକରା ହୋଇ ଲୋକଙ୍କ ଉପରେ ଆକ୍ରମଣ କରୁଛି। ରାୟଗଡାର ସିଜିମାଳି, ସୁନ୍ଦରଗଡ଼ର ଲାଞ୍ଜିବେର୍ଣ୍ଣା ଓ କେନ୍ଦୁଝର ଜିଲ୍ଲାର ପାଟଣା ସମେତ ଅନୁସୂଚୀତ ଅଞ୍ଚଳରେ ଥିବା ପେସା ଆଇନ, – ୧୯୯୬, ଜଙ୍ଗଲ ଅଧିକାର ଆଇନ – ୨୦୦୬ ତଥା ନକରି ସାଧାରଣ ଲୋକ ବିଶେଷ କରି ଆଦିବାସୀମାନଙ୍କ ସାମ୍ଵିଧାନିକ ଓ ଆଇନଗଦ ଅଧିକାରକୁ ଛଡେଇ ନେଉଛନ୍ତି ବୋଲି ଅଭିଯୋଗ କରିଥିଲେ। ଗୁଣପୁର ସହର ଚାରିପାଖରେ ଥିବା ଆଦିବାସୀମାନେ ପୁରୁଷ ପୁରୁଷ ଧରି ସରକାରୀ ଓ ଜଙ୍ଗଲ ଜମିକୁ ଭୋଗ କରି ଆସୁଥିବା ବେଳେ ପ୍ରଶାସନ ଓ ପୋଲିସ ସହାୟତାରେ କିଛି ପ୍ରଭାବଶାଳୀ ଲୋକ ତାକୁ ହଡପ କରିବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ଶେଷରେ ଆଠ ଦଫା ଦାଵି ସମ୍ଵଳିତ ଏକ ସ୍ମାରକପତ୍ର ଗଜପତି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ପ୍ରେରଣ କରାଯାଇଥିଲା।