ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ପଛୁଆ ବର୍ଗ, ଦଳିତ, ଆଦିବାସୀ ଓ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ସହିତ ଯଥାର୍ଥ ନ୍ୟାୟ ହେଉନାହିଁ ବୋଲି ଅଭିଯୋଗ କରି ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା କମିଟି ଆଜି ଜିଲ୍ଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛି।ସମ୍ମିଳନୀରେ ଜାତି ଆଧାରିତ ଜନଗଣନା ସମେତ ମୋଟ ୯ ଦଫା ଦାବି ଉପସ୍ଥାପନ କରାଯାଇଛି। ଏହି ଦାବିଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ଚ୍ୟାଲେଞ୍ଜ ଦିଆଯାଇଛି।ସମ୍ମିଳନୀରେ ବକ୍ତାମାନେ କହିଛନ୍ତି ଯେ, ଜାତି ଜନଗଣନା ବିନା ସମାଜିକ ନ୍ୟାୟ ସମ୍ଭବ ନୁହେଁ। ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ପଛୁଆ ବର୍ଗଗୁଡ଼ିକ ଶିକ୍ଷା, ଚାକିରୀ ଓ ରାଜନୈତିକ କ୍ଷେତ୍ରରେ ବ୍ୟାପକ ଭାବେ ବଞ୍ଚିତ ହେଉଛନ୍ତି। ସମସ୍ତ ବହୁଜନ ସମାଜ, ଶିକ୍ଷିତ ଯୁବକ, ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। “ଶିକ୍ଷିତ କର, ସଂଗଠିତ କର, ସଂଘର୍ଷ କର ଏହି ମନ୍ତ୍ର ସହ ଆଗାମୀ ୨୩ ଅପ୍ରେଲର ଭାରତ ବନ୍ଦକୁ ସଫଳ କରିବା ପାଇଁ ସମଗ୍ର ଓଡ଼ିଶା ଓ ଦେଶବାସୀଙ୍କୁ ଆହ୍ୱାନ ଜଣାଯାଇଛି।ସମ୍ମିଳନୀରେ ଭାରତ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ମାଧବ ସୁନାନୀ ସୂଚନା ଦେଇଛନ୍ତି ଯେ, ଓବିସିଙ୍କ ଜାତି ଜନଗଣନା ଓ ଜନସଂଖ୍ୟା ଅନୁପାତରେ ପ୍ରତିନିଧିତ୍ୱ, ୟୁଜିସି ଇକ୍ୱିଟି ରେଗୁଲେସନ୍ କଠୋର ଭାବେ ଲାଗୁ, ୨୦୧୧ ପୂର୍ବରୁ ନିଯୁକ୍ତ ଶିକ୍ଷକମାନଙ୍କୁ ଓଟିଇଟି/ଟିଇଟି ପରୀକ୍ଷାରୁ ମୁକ୍ତି, ଓଡ଼ିଶା ରିଜର୍ଭେସନ୍ ପଲିସିକୁ ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା, ୱାର୍ଡ ମେମ୍ବର ଠାରୁ ସାଂସଦ ପର୍ଯ୍ୟନ୍ତ ଓବିସିଙ୍କ ରାଜନୈତିକ ସଂରକ୍ଷଣ, ୨୦୨୦ରେ ବନ୍ଦ ହୋଇଥିବା ୫୬୩୩ ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଖୋଲିବା, ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଧାର୍ମିକ ସ୍ୱାଧୀନତା ଉପରେ ହସ୍ତକ୍ଷେପ ବନ୍ଦ କରିବା, ଆଦିବାସୀଙ୍କ ଉପରେ ବିକାଶର ନାମରେ ହେଉଥିବା ଅତ୍ୟାଚାର ବନ୍ଦ କରିବା ଏବଂ ସଫେଇ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଆଦି ଦାବିରେ ଭାରତ ବନ୍ଦ ଡକାଯାଇଛି।

ଜାତି ଜନଗଣନା ସହ ୯ ଦଫା ଦାବିରେ ଭାରତ ବନ୍ଦ

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଆଦିତ୍ୟ ହଂସ ଯାଦବ, ଠାକୁର ମଙ୍ଗରାଜ (ରାଷ୍ଟ୍ରୀୟ ମହିମା ଧମ୍ମ ସଂଘ ପ୍ରଭାରୀ) ଏବଂ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ସୁନାନୀ ଉପସ୍ଥିତ ଥିଲେ।ସଂଗଠନର ନେତୃତ୍ୱ କରି ବକ୍ତାମାନେ କହିଛନ୍ତି ଯେ, ଏହି ଦାବିଗୁଡ଼ିକ କେବଳ କଳାହାଣ୍ଡି ଜିଲ୍ଲା ପାଇଁ ନୁହେଁ, ସମଗ୍ର ଓଡ଼ିଶାର ପଛୁଆ ବର୍ଗଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ସରକାର ଯଦି ଏହି ଦାବିଗୁଡ଼ିକୁ ଉପେକ୍ଷା କରନ୍ତି, ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସତର୍କ କରାଯାଇଛି।ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା କମିଟି ସମଗ୍ର ଓଡ଼ିଶାବାସୀଙ୍କୁ ୨୩ ଅପ୍ରେଲ ଭାରତ ବନ୍ଦରେ ସକ୍ରିୟ ଭାଗ ନେବାକୁ ଆହ୍ୱାନ ଦେଇଛି। ଏହା କେବଳ ଏକ ବନ୍ଦ ନୁହେଁ, ସମାଜିକ ନ୍ୟାୟ ଓ ସମାନତାର ଏକ ବଡ଼ ଆନ୍ଦୋଳନ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *