ଗଛରେ ପିଟିହେଲା ବୋଲେରୋ, ଜଣେ ମୃତ ଓ ୪ ଗୁରୁତର

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଗୁନୁଗୁନିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବୋଲେରୋ ଗାଡ଼ି ରାସ୍ତା କଡ଼ରେ ଥିବା ଗଛରେ ପିଟି ହେବା ଫଳରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ଭୋରରୁ ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ୫ ଜଣ ବୋଲେରୋ ଯୋଗେ ଏକ ବିବାହ ଉତ୍ସବରେ ଯୋଗଦେଇ ନିଜ ଗାଁକୁ ଫେରୁଥିଲେ। ତେବେ ଗୁନୁଗୁନିଆ ଛକ ନିକଟରେ ଚାଳକ ଗାଡ଼ିଟିରୁ ନିୟନ୍ତ୍ରଣ ହରାଇବାରୁ ଏହା ସିଧାସଳଖ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା। ଗୁରୁତର ହୋଇଥିବା ୪ ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ମୃତ ମହିଳା ମିନୁରାଣୀ ସାହୁ (୩୧) ଙ୍କ ଶବ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ଶବ ବ୍ୟବଚ୍ଛେଦ ହେଲାପରେ ପାରିବାରଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ଦିଆଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *