କଲମପୁର/କ୍ରାନ୍ତିକ୍ଷେତ୍ର : କଲମପୁର-ଥୁଆମୁଳ ରାମପୁର ମୁଖ୍ୟା ରାସ୍ତାର ସିଙ୍ଗାରୀ ଘାଟିଠାରେ ଗତ ବିଳମ୍ବିତ ରାତିରେ ଘଟିଛି ଏକ ଦୁର୍ଘଟଣା। ଏକ ଟ୍ରାଭେଲର ଯୋଗେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ ବଲଙ୍ଗି ତେତେଲପଡା ଠାରେ କନ୍ୟା ଛାଡି ବିଳମ୍ବିତ ରାତିରେ ଥୁଆମୁଳ ରାମପୁର କଲମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟି ଦେଇ ଜୁନାଗଡ ଥାନା ଅଧୀନସ୍ଥ ବନମାଳିପୁର ଗାଁକୁ ଫେରୁଥିଲେ। ସିଙ୍ଗାରୀ ଘାଟିର ଏନ ବ୍ୟାଣ୍ଡ ନିକଟରେ ଗାଡି ଚାଳକ ନିୟନ୍ତ୍ରଣ ହରାଇବାରୁ ଘାଟିର ପ୍ରାୟ ୧୫ ଫୁଟ ତଳକୁ ଓଲଟି ପଡି ଏକ ଗଛରେ ଲାଗି ରହିଥିଲା। ଫଳରେ ଗାଡି ଭିତରେ ଥିବା ପ୍ରାୟ ୧୪ ଜଣଙ୍କ ମଧ୍ୟରୁ ମଣ୍ଡଳର-ରୁପେଶ ଭୋଇ, ତପସ୍ବିନୀ ଭୋଇ ବନମାଳିପୁର ଗ୍ରାମର ଭୁପେନ ମାଝୀ ଏବଂ ଭୁବନେଶ୍ଵର ଭୋଇ ପ୍ରମୁଖ ଗୁରୁତର ହେଇଛନ୍ତି। ସେମାନଙ୍କୁ କନ୍ୟା ଛାଡି ଫେରୁଥିବା ଅନ୍ୟ ଏକ ଗାଡିରେ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । କିନ୍ତୁ ରୁପେଶ, ତପସ୍ବିନୀ ଏବଂ ଭୂପେନଙ୍କ ଅଧିକ ଚିକିତ୍ସା ପାଇଁ ଆଜି ମଙ୍ଗଳବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଥୁଆମୁଳ ରାମପୁର ପୁଲିସ ପକ୍ଷରୁ ଏସ. ଆଇ ସନ୍ତୋଷ ସେଠୀ ସକାଳ ସାଢେ ୮ଟା ବେଳେ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
