ହୋଇନାହିଁ ରବି ଧାନ ବିକ୍ରି ପଞ୍ଜୀକରଣ ; ଆନ୍ଦୋଳନକୁ ଓହ୍ଲାଇଲେ ଉଠା ଜଳସେଚନ ଚାଷୀ

କୋକସରା/କ୍ରାନ୍ତିକ୍ଷେତ୍ର : ମେଗା ଉଠାଜଳସେଚନ  ମାଧ୍ୟମରେ ରବି ଧାନ ଚାଷ କରିଥିବା କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଳକର ଚାଷୀମାନେ ଧାନ ବିକ୍ରି ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ଚାଷୀ ସମୂହ ବିଭିନ୍ନ ସମୟରେ ଦାବିପତ୍ର ଦେବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଲି ପାରିନାହିଁ। ଯାହାକୁ ନେଇ କୋକସରାଠାରେ ଅଞ୍ଚଳର ଶହ ଶହ ଚାଷୀଙ୍କ ସମେତ ବିରୋଧୀ ଦଳର ନେତାମାନେ ସାମିଲ ହୋଇ ସରକାର ବିରୋଧରେ ଜୋରଦାର ଗର୍ଜିଛନ୍ତି। କୃଷକ ସଚେତନ ମଞ୍ଚ କୋକସରା ପକ୍ଷରୁ ଅଞ୍ଚଳର ଶତାଧିକ ଚାଷୀ ଏକତ୍ରିତ ହେବାପରେ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ କୋକସରା ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲେ। ଏବଂ ସ୍ଥାନୀୟ ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ଏକ ପ୍ରତିବାଦ ସଭା କରାଯାଇଥିଲା। କୃଷକ ସଚେତନ ମଞ୍ଚର ଉପସଭାପତି ମିନକେତନ ପ୍ରଧାନୀ ପ୍ରତିବାଦ ସଭାର ସଭାପତିତ୍ବ କରିଥିଲେ। ସଭାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ପ୍ରମୁଖ ସାମିଲ ହୋଇଥିଲେ। ଇନ୍ଦ୍ରାବତୀ ବାମ ଓ ଦକ୍ଷିଣ କେନାଲ ଅଞ୍ଚଳର ଧାନ କ୍ରୟ ପାଇଁ ସରକାର ଅନଲାଇନ ଯୋଗେ ପଞ୍ଜିକରଣ ବ୍ୟବସ୍ଥା କରିଥିବାବେଳେ ମେଗା ଉଠାଜଳସେଚନ ଅଞ୍ଚଳର ଚାଷ ପାଇଁ ଡିପିଆରରେ ବ୍ୟବସ୍ଥା ନଥିବା ଆଳରେ ଧାନ ବିକ୍ରୟ ବ୍ୟବସ୍ଥାରୁ ଚାଷୀଙ୍କୁ ବଞ୍ଚିତ କରିଥିବା ଅଭିଯୋଗ କରିବା ସହ ରାଜ୍ୟ ସରକାର ଉପରେ ଜୋରଦାର ବର୍ଷିଥିଲେ। ଏବଂ ଆଗକୁ ଚାଷୀଙ୍କ ଧାନ ବିକ୍ରି ପଞ୍ଜୀକରଣ କରା ନଗଲେ ସରକାର ବିରୋଧରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଗୋବର୍ଦ୍ଧନ ବାଗ ପ୍ରମୁଖ ସାମିଲ ହୋଇ ସରକାର ଏହାର ତୁରନ୍ତ ବିଚାର କରି ଧାନ ବିକ୍ରି ପାଇ ପଞ୍ଜିକରଣ କରନ୍ତୁ ବୋଲି ଦାବି କରିଥିଲେ। ଏହା ପରେ ଚାଷୀମାନେ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ପ୍ରକାଶ ଯେ’ କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଳକ ଅଞ୍ଚଳର ପ୍ରାୟ ୧୫ ହଜାର ଚାଷୀ ୧୮ ହଜାର ୮ ଶହ ୫୫ ହେକ୍ଟର ଜମିରେ ମେଗା ଉଠାଜଳସେଚନ ମାଧ୍ୟମରେ ରବି ଧାନ ଚାଷ କରିଥିବା ସୂଚନା ରହିଛି। ତେବେ ଏହି ସୁବ ଅଞ୍ଚଳରେ ପ୍ରାୟ ୧୩ ଲକ୍ଷ କୁଇଣ୍ଟାଲ ଧାନ ଉତ୍ପାଦନ ହେବାର ସମ୍ଭାବନା ରହିଛି। ଚାଷୀ ବ୍ୟାଙ୍କ, ସମବାୟ ଓ ବିଭିନ୍ନ ଲୋକଙ୍କ ଠାରୁ ଧାର କରଜ କରି ଓ ପାଖରେ ଯାହା ସଞ୍ଚୟ ଥିଲା ଚାଷରେ ସବୁ ଖର୍ଚ୍ଚ କରିଦେଇଛନ୍ତି। ଏଣେ ବିଲରେ ଧାନ ପାଚି ଅମଲ ଯୋଗ୍ୟ ହେଲାଣି କିନ୍ତୁ ଧାନ ବିକ୍ରି ନିମନ୍ତେ ପଞ୍ଜିକରଣ ନ ହେବାରୁ ଚାଷୀକୂଳ ଚିନ୍ତାରେ ପଡ଼ିଯାଇଛନ୍ତି। ଆଜି ଏହି ଦାବିପତ୍ର ପ୍ରଦାନ ସମୟରେ କୃଷକ ସଚେତନ ମଞ୍ଚର ଉପସଭାପତି ଜୟ ଲାଲ ନାଏକ, ନିଳକଣ୍ଠ ମାଝୀ,  ଧନେଶ୍ୱର ପଣ୍ଡା, ସମ୍ପାଦକ ଚିନ୍ତାମଣି ପଟେଲ, ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରୀ, ପ୍ରକାଶ ଚୈଧୁରୀ, ନିମାଇଁ ଚରଣ ଧଙ୍ଗଡ଼ାମାଝୀ, ପଞ୍ଚକ ପୋଡ଼, ହରେକୃଷ୍ଣ ନାଏକ, ସୁଶାନ୍ତ ବେହେରା, ବିଶ୍ଵନାଥ ପଟ୍ଟନାୟକ, ବସନ୍ତ ପଟ୍ଟନାୟକ, ତ୍ରିଭୁବନ ନାଏକ, ରାଜେନ୍ଦ୍ର ନାଏକ, ଲଲାଟେନ୍ଦୁ  ପ୍ରଧାନୀ ସମେତ ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *