ବିନା ତାରପଲିନ୍ ଢାଙ୍କି ରାସ୍ତାରେ ଗଢୁଛି ହାଇୱା ଗାଡ଼ି  : ବାଲି, ମାଟି ଉଡ଼ିବା ଯୋଗୁଁ ଦୁର୍ଘଟଣା ଘଟିବା ଆଶଙ୍କା

କୋକସରା/କ୍ରାନ୍ତିକ୍ଷେତ୍ର  : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଦେଇ ଯାଇଥିବା  ୨୬ ନମ୍ବର ଜାତୀୟ ରାଜପଥ ଓ ବିଜୁ ଏକ୍ସପ୍ରେସୱେରେ ଦୈନିକ ଶହ ଶହ ହାଇୱା ଗାଡ଼ି ବାଲି, ମାଟି ଓ ଅନ୍ୟ ପଦାର୍ଥ ବୋଝେଇ କରି ବିନା ତାରପଲିନ୍ ଢାଙ୍କି  ଗଢୁଛି। ଏହି ଗାଡ଼ି ଗୁଡ଼ିକ ଖୋଲାରେ ଯିବା ଦ୍ୱାରା ବାଲି ଓ ଧୂଳି ଉଡ଼ି ଦୁର୍ଘଟଣା ଘଟିବା ଆଶଙ୍କା ରହିଛି।  ପରିବହନ ବିଭାଗର ନିୟମ ଅନୁଯାୟୀ, ମାଲବାହୀ ଗାଡ଼ିରେ ଯେ’ କୌଣସି ଦ୍ରବ୍ୟ ବୋଝେଇ କରିବା ସମୟରେ ତାହା ଢାଙ୍କି ହୋଇ ରହିବା ଆବଶ୍ୟକ। କିନ୍ତୁ କୋକସରା ବ୍ଲକର ବିଜୁ ଏକ୍ସପ୍ରେସୱେ ସମେତ ଜାତୀୟ ରାଜପଥରେ ବିନା ତାରପଲିନ୍ ଢାଙ୍କି ଶହ ଶହ ହାଇୱା ଗାଡ଼ି ବାଲି, ମାଟି  ବୋଝେଇ କରି ଯାତାୟାତ କରୁଛି। ଏଥିଯୋଗୁଁ ରାସ୍ତାରେ ଯାଉଥିବା ଅନ୍ୟ ବାହନ ଓ ସାଇକେଲ ଆରୋହୀଙ୍କ ଆଖିରେ ଧୂଳି ପଡ଼ି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଖାଲି ସେତିକି ନୁହେଁ ଖୋଲା ଗାଡ଼ିରୁ ଉଡୁଥିବା ଧୂଳି ବାୟୁ ପ୍ରଦୂଷଣ ସୃଷ୍ଟି କରି ସାଧାରଣ ଲୋକଙ୍କ ଶ୍ୱାସକ୍ରିୟାରେ ଗୁରୁତର ସମସ୍ୟା ସୃଷ୍ଟି କରୁଥିବା ଜନ ସାଧାରଣରେ ଅଭିଯୋଗ ହେଉଛି। ଗତ କିଛି ଦିନ ହେଲା ଜାତୀୟ ରାଜପଥ ଉପରେ ହାଇୱା ଗାଡ଼ିରୁ ବାଲି ମାଟି ଓ ଅନ୍ୟାନ୍ୟ ଜିନିଷ ପଡ଼ିବା ଯୋଗୁଁ ସାମାନ୍ଯ ପବନ ବୋହିଲେ ସେହି ଗୁଣ୍ଡ ଲୋକଙ୍କ ଆଖି କାନରେ ପସି ଯାଉଥିବାରୁ ଲୋକେ ଅତିଷ୍ଠ ହେଲେଣି।‌ ନିୟମ ଅନୁଯାୟୀ, ଯଦି କୌଣସି ଗାଡ଼ିରେ ଖୋଲା ଭାବେ ବାଲି, ମାଟି ବା ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ନିଆଯାଏ, ତେବେ ତାହାକୁ ତାରପଲିନ୍ କିମ୍ବା ଅନ୍ୟ କୌଣସି ଉପଯୁକ୍ତ ପଦାର୍ଥରେ ସମ୍ପୂର୍ଣ୍ଣ ରୂପେ ଢାଙ୍କିବା ଅନିର୍ବାର୍ଯ୍ୟ ରହିଛି। ହେଲେ ପୋଲିସ ଓ ପରିବହନ ବିଭାଗର ଅବହେଳା ଯୋଗୁଁ ହାଇୱା ଗାଡ଼ି ଗୁଡ଼ିକ ନିୟମକୁ ଉଲ୍ଲଂଘନ କରି ରାସ୍ତା ଉପରେ ଗଢ଼ି ଚାଲିଛି। ତେଣୁ ଲୋକଙ୍କ ଧନ ଜୀବନ ପ୍ରତି ବିପଦ ଥିବାରୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ସହ ନିୟମ ଉଲ୍ଲଂଘନ କରି ରାସ୍ତା ଉପରେ ଗଢୁଥିବା ହାଇୱା ଗାଡ଼ି ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *