ବାଲିଆପାଳ/କ୍ରାନ୍ତିକ୍ଷେତ୍ର : ବାଲିଆପାଳ ବ୍ଲକ ଅଧୀନସ୍ଥ ଦେଉଳା ପଞ୍ଚାୟତର କଟିସାହି ଗ୍ରାମ ନିବାସୀ ପ୍ରଶାନ୍ତ କୁମାର ଭୂୟାଁ ଏବଂ ଗୀତାରାଣୀ ଭୂୟାଁଙ୍କ ସୁପୁତ୍ର ଅନୁରାଗ ନିଜ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ପଦକ ଲାଭ କରି ନିଜ ତଥା ନିଜ ଅଞ୍ଚଳ ପାଇଁ ସୁନାମ ଅର୍ଜନ କରିଛନ୍ତି। ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ସ୍ନାତକୋତ୍ତର ଶିକ୍ଷା ବିଭାଗରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ହୋଇ ସେ ନୂଆଦିଲ୍ଲୀସ୍ଥିତ ବାବା ସାହେବ ଆମ୍ବେଦକର କନଭେନସନ ସେଣ୍ଟରରେ ଆୟୋଜିତ ୩୯ତମ ଦୀକ୍ଷାନ୍ତ ସମାରୋହରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଠାରୁ ଏହି ସ୍ୱର୍ଣ୍ଣ ପଦକ ଗ୍ରହଣ କରିଛନ୍ତି। ଏହି ଗରିମାମୟ ସମାରୋହରେ ଦିଲ୍ଲୀର ମାନ୍ୟବର ଉପରାଜ୍ୟପାଳ ତରଣଜିତ ସିଂହ ସଂନ୍ଧୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଇଗ୍ନୋର କୁଳପତି ପ୍ରଫେସର ଉମା କାଞ୍ଜିଲାଲ ଉପସ୍ଥିତ ରହିଥିଲେ। ପୂର୍ବରୁ ମଧ୍ୟ ଅନୁରାଗ ଇଗ୍ନୋ ବି.ଏଡ଼ରେ ସର୍ବ ଭାରତୀୟ ସ୍ତରରେ ସର୍ବୋଚ୍ଚ ନମ୍ବର ରଖି ପୂର୍ବତନ ଭାରତର ଉପରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଥିଲେ। ସେ ବର୍ତ୍ତମାନ ଏସ୍.କେ. ଏଣ୍ଡ୍ ଜେ.ଏମ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ। ଅନୁରାଗଙ୍କ ବାପା ବ୍ରେନ ଷ୍ଟ୍ରୋକରେ ପୀଡିତ ଥିବାବେଳେ ପରିବାରର ଦାୟିତ୍ୱ ତାଙ୍କ ଉପରେ ବଢ଼ିଥିଲା। ସେହି କଷ୍ଟକର ସମୟରେ ତାଙ୍କ ଭଉଣୀ ସୁଚିସ୍ମିତା, ସସ୍ମିତା ଓ ମୋନାଲିସା ତାଙ୍କର ମେରୁଦଣ୍ଡ ସଦୃଶ ସହଯୋଗ କରି ସବୁବେଳେ ପଛରେ ଦୃଢ଼ଭାବେ ଠିଆ ହୋଇଥିଲେ। ସ୍କୁଲରେ ପିଲାଙ୍କୁ ପାଠ ପଢେଇବା ସହିତ ନିଜର କଠିନ ଅଧ୍ୟବସାୟ ବଳରେ ଏହି ସମ୍ମାନ ଲାଭ କରି ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ଏହାର ଶ୍ରେୟ ସେ ନିଜର ପିତାମାତା, ଭଉଣୀ, ଭିଣେଇ, ମାମୁଁ, ଭାଇ, ଭାଉଜ ତଥା ପରିବାରବର୍ଗଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ରଛାତ୍ରୀ, ବନ୍ଧୁବାନ୍ଧବ, ସ୍ଥାନୀୟ ଅଞ୍ଚଳର ସମସ୍ତ ଶିକ୍ଷା ସମ୍ପୃକ୍ତ ହିତଧାରକ ତଥା ନିଜର ଶିକ୍ଷକମାନଙ୍କୁ ଦେଇଛନ୍ତି। ଅନୁରାଗଙ୍କ ଏହି କୃତିତ୍ୱ ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଦେଖାଦେଇଥିବା ବେଳେ ବିଭିନ୍ନ ମହଳରୁ ତାଙ୍କୁ ଅଭିନନ୍ଦନ ଜଣାଯାଉଛି।

