ସାଂସଦ ଏବଂ ବିଧାୟକ ଙ୍କ ପ୍ରତିନିଧିଙ୍କ ବିରୁଦ୍ଧରେ ବ୍ଲକ୍ ଘେରାଉ କଲେ ଶତାଧିକ ବିଜେପି କର୍ମୀ

କେନ୍ଦୁଝର/ପାଟଣା/କ୍ରାନ୍ତିକ୍ଷେତ୍ର  (ଯଯାତୀ କେଶରୀ ବେହେରା) : ଦୁଇ ବର୍ଷର ଭାଜପା ସରକାର ପରେ ଆଜି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀରେ କର୍ମୀ ଅସନ୍ତୋଷ ଦେଖିବାକୁ ମିଳିଛି । ପାଟଣା ବ୍ଲକ୍ ଘେରାଉ କରିଛନ୍ତି ଶତାଧିକ ଭାରତୀୟ ଜନତା ପାର୍ଟିର  ସମର୍ଥକ । ପୁର୍ବ  ସରକାର ସମୟରେ ହେଉଥିବା ବିଭିନ୍ନ ଦୁର୍ନୀତି, ହେର୍ ଫେର୍ କୁ ନେଇ ବିଜେପି ସର୍ବଦା ସ୍ୱର ଉଠାଇ ଆସୁଥିଲା । ଏପରି କି  ତତ୍କାଳୀନ ସରକାର ସମୟର ଠିକାଦାର ମାନଙ୍କୁ ବିଜେପି କର୍ମୀ ମାନେ ବିରୋଧ ମଧ୍ୟ କରିଥିଲେ । ପିସି କାରବାର, ଦୁର୍ବଳ କାର୍ଯ୍ୟପ୍ରଣାଳୀ ଇତ୍ୟାଦି କୁ ନେଇ ଆଗରୁ  ସବୁବେଳେ ସ୍ୱର ଉଠାଇ ଆସିଥିଲେ ବିଜେପି କର୍ମୀ  । ସରକାର ବଦଳିଛି, କିନ୍ତୁ ବ୍ୟବସ୍ଥା ଯେମିତି କୁ ସେମିତି ରହିଥିବା ଅନୁମାନ କରି ପାଟଣା ମଣ୍ଡଳର ପୂର୍ବତନ ସଭାପତି ରମେଶ ଚନ୍ଦ୍ର ମହାନ୍ତ ଙ୍କ ନେତୃତ୍ୱରେ ଶତାଧିକ ଭାଜପା କର୍ମୀ ଏବଂ ସମର୍ଥକ ବିଡ଼ିଓ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ନୁଆ ସରକାରରେ ବିଶେଷ କରି ସାଂସଦ ପ୍ରତିନିଧି, ବିଧାୟକ ପ୍ରତିନିଧି ଏବଂ ବ୍ଲକ୍ କର୍ତ୍ତୃପକ୍ଷ ଙ୍କ ମଧୁଚନ୍ଦ୍ରିକା ରେ ଗୋଟିଏ କାର୍ଯ୍ୟାଦେଶ ୨ରୁ ୩ ଜଣଙ୍କୁ ବଣ୍ଟା ହେଉଛି । ଏପରିକି କାର୍ଯ୍ୟାଦେଶ ଦେବା ପାଇଁ ଆଗୁଆ ଭାବରେ ପ୍ରତିନିଧି ମାନେ ପିସି  ନେଉଛନ୍ତି ବୋଲି ଅଭିଯୋଗ ହୋଇଛି । ବାହାର ଅଞ୍ଚଳ ର ଲୋକଙ୍କୁ କାମ ମିଳୁଛି ପଛେ ନିଜ ଗାଁ, ପଂଚାୟତ ଲୋକଙ୍କୁ କାମ ମିଳି ପାରୁ ନାହିଁ । ଦୁଇ ବର୍ଷର ବିଜେପି ସରକାର ରେ ରାଜ୍ୟ ର ପ୍ରଗତି ପାଇଁ ଲୋକଙ୍କ ସରକାର ଦିନ ରାତି କାମ କରୁଥିବା ବେଳେ ପାଟଣା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିବା ଉଭୟ ସାଂସଦ ଓ ବିଧାୟକ ତିନି ଚାରି ଜଣଙ୍କ ମଧ୍ୟରେ ସିମୀତ ରହି ଯାଉଛନ୍ତି ବୋଲି ପାଟଣା ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ ଉଲ୍ଲେଖ କରିଛନ୍ତି । ଯାହାର ଫଳ ସ୍ୱରୂପ ଦୁର୍ନୀତି ବଢ଼ିବାରେ ଲାଗିଛି । ପ୍ରତିନିଧି ଏବଂ ବ୍ଲକ୍ କର୍ତ୍ତୃପକ୍ଷ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗାଁ ଗାଁ ଥିବା  ଓ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏପରି ହେଲେ ସାଧାରଣ ଜନତା ଙ୍କ ସ୍ୱାର୍ଥ ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ବିଜେପି ସରକାର ରେ ପାଟଣା ବ୍ଲକ୍ ବହୁ ପଛରେ ପଡ଼ିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି ।  ବିଜୁ ଜନତା ଦଳ ସମୟରେ ଯେଉଁମାନେ ଠିକାଦାରୀ କରୁଥିଲେ, ଆଜି ବି ସେଇମାନେ ଠିକାଦାରୀ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଲ୍ୟାଣ ମହାନ୍ତ । ଏ ସମ୍ପର୍କରେ ପାଟଣା ବ୍ଲକ୍ ର ମଣ୍ଡଳ ସଭାପତି, ପୂର୍ବତନ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ପଦାଧିକାରୀ ମାନେ ମିଶି ପାଟଣା ବିଡ଼ିଓଙ୍କୁ ଦାବି ଜଣାଇଛନ୍ତି କି, ଯେ ପର୍ଯ୍ୟନ୍ତ ବିଧାୟକ, ସାଂସଦ ଙ୍କ ସହିତ ଏ ସମସ୍ୟା ର ସମାଧାନ ନେଇ ବାଟ ପ୍ରସ୍ତୁତ ନ ହୋଇଛି, ସେ ପର୍ଯ୍ୟନ୍ତ ବ୍ଲକ୍ ର ସମସ୍ତ କାର୍ଯ୍ୟାଦେଶ କୁ ବନ୍ଦ ରଖାଯାଉ । ପ୍ରତିନିଧି ମାନଙ୍କ ଦ୍ୱାରା ଦିଆ ଯାଇଥିବା ସାଂସଦ, ବିଧାୟକ ଙ୍କ ଲେଟର ପ୍ୟାଡ  କୁ ଗ୍ରହଣ କରା ନ ଯାଉ ।

ବ୍ଲକ୍ ର ତିନି ମଣ୍ଡଳ ସଭାପତି ଙ୍କ ମାଧ୍ୟମରେ ସମସ୍ତ କାର୍ଯ୍ୟାଦେଶକୁ ଆଲୋଚନା ମାଧ୍ୟମରେ  ସମାଧାନ କରାନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି କୁହାଯାଇଛି । ଭାରତୀୟ ଜନତା ପାର୍ଟିର ର ବରିଷ୍ଠ କର୍ମୀ ଅର୍ଜୁନ ମହାନ୍ତ, ରବୀନ୍ଦ୍ର ମହାନ୍ତ, ସୁରେଶ ମହାନ୍ତ, ଗୋପାଳ ମହାନ୍ତ, ଉମାକାନ୍ତ ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତ, ନିତେଶ ମହାନ୍ତ, ଚୌଧୁରୀ ନାଏକ, ମଧୁସୂଦନ ମହାନ୍ତ, ଦାନ୍ଦୁଲୁ ବରଡିଆ, ଲକ୍ଷ୍ମୀଧର ମହାନ୍ତ, ପ୍ରକାଶ ସେଠୀ, ମନସୁର ଆଲମ୍, ହରିଶ ଚନ୍ଦ୍ର ମହାନ୍ତ, ସଞ୍ଜୟ ପଳେଇ, ୟୁଧିଷ୍ଠିର ମହାନ୍ତ ପ୍ରମୁଖ ତିନି ମଣ୍ଡଳର ଶତାଧିକ କର୍ମକର୍ତ୍ତା ଏକତ୍ରିତ ରହିଥିଲେ ।ପ୍ରତିନିଧି ମାନଙ୍କ ବିରୁଦ୍ଧରେ କର୍ମୀଙ୍କ  ଅସନ୍ତୋଷ କୁ ଉଭୟ ସାଂସଦ ଏବଂ ବିଧାୟକ କିପରି ଭାବରେ ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

Leave a Reply

Your email address will not be published. Required fields are marked *