ଦୂତୀକା ମାଝୀ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ମନୋନୀତ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ମହିଳା ସଭାନେତ୍ରୀ ଭାବେ ଶ୍ରୀମତୀ ଦୂତୀକା ମାଝୀଙ୍କୁ ମନୋନୀତ କରାଯାଇଛି। ଏହି ନିଷ୍ପତ୍ତି ପରେ ଦଳ ଭିତରେ ଖୁସି ଓ ଉତ୍ସାହର ପରିବେଶ ଦେଖିବାକୁ ମିଳିଛି। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଡୁମେରପଦର ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟା ଭାବେ କାର୍ଯ୍ୟ କରିଥିବା ଶ୍ରୀମତୀ ମାଝୀ ଦଳର ଏକ ଶୃଙ୍ଖଳିତ ଓ ସକ୍ରିୟ କର୍ମୀ ଭାବେ ପରିଚିତ। ଆଦିବାସୀ ବହୁଳ ଏହି ଅଞ୍ଚଳର ସାମାଜିକ ଓ ରାଜନୈତିକ ପରିପ୍ରେକ୍ଷିତିକୁ ଧ୍ୟାନରେ ରଖି ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ମନେ କରାଯାଉଛି। ଏହି ମନୋନୟନ ପାଇଁ ଶ୍ରୀମତୀ ମାଝୀ ନବୀନ ପଟ୍ଟନାୟକ, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଲାଞ୍ଜିଗଡ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀମତୀ ମାଝୀ କହିଛନ୍ତି ଯେ, ଆଗାମୀ ଦିନରେ ସେ ମହିଳା ସଶକ୍ତିକରଣ, ସମାଜସେବା ଓ ଅଞ୍ଚଳର ସମଗ୍ର ଉନ୍ନତି ପାଇଁ ନିଷ୍ଠାର ସହ କାମ କରିବେ। ଜନସାଧାରଣଙ୍କ ସମସ୍ୟାକୁ ସରକାର ଓ ଦଳ ମଧ୍ୟରେ ପହଞ୍ଚାଇ ସମାଧାନ ନେବାକୁ ସେ ଲୋକଙ୍କ ସ୍ବର ଭାବେ କାମ କରିବେ ବୋଲି କହିଛନ୍ତି। ସେହିପରି, ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଏକତ୍ର ହୋଇ କାମ କରିବାକୁ ଆହ୍ବାନ ଜଣାଇ ସହଯୋଗ ଆଶା କରିଛନ୍ତି। ଏହି ନୂତନ ନିଯୁକ୍ତି ଦଳକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ କରିବ ବୋଲି ସ୍ଥାନୀୟ ମହଳରେ ଆଶା ପ୍ରକାଶ।

Leave a Reply

Your email address will not be published. Required fields are marked *