ୟୁ.ଜି.ଏମ୍.ଆଇ.ଟି.ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ବାର୍ଷିକୀ ପାଳିତ

ରାୟଗଡ/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଆଜି ହେଉଛି ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ, ପ୍ରଗତିପୁରୁଷ କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ବାର୍ଷିକୀ। ଏହି ଶୁଭ ଅବସରରେ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନ, ରାୟଗଡରେ ଅବସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପଟେଲ, ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଏବଂ ପୁରାତନ ଛାତ୍ର ସବ୍ୟସାଚୀ ସାହୁ, ପୁରାତନ ଛାତ୍ର ସଂସଦର କୋଷାଧ୍ୟକ୍ଷ ଧିରେନ କୁମାର ପଟ୍ଟନାୟକଙ୍କ ସହ ଅନୁଷ୍ଠାନର ଅଧ୍ୟାପକ-ଅଧ୍ୟାପିକାମାନେ ଏବଂ ସମସ୍ତ କର୍ମଚାରୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଛାତ୍ରୀ କୁମାରୀ ନନ୍ଦିନୀ ପାଟିକା ପ୍ରାରମ୍ଭିକ ସଙ୍ଗୀତ ଭାବେ ଉତ୍କଳ ଗୌରବଙ୍କ ସ୍ୱରଚିତ ଦେଶାତ୍ମବୋଧକ ସଙ୍ଗୀତ — “ମାଆ ମାଆ ବୋଲି କେତେ ମୁଁ ଡାକିଲି…” — ଗାନ କରିଥିଲେ। ଅଧ୍ୟକ୍ଷ ପଟେଲ, ପୁରାତନ ଛାତ୍ର ସଂସଦର ସଚିବ ସବ୍ୟସାଚୀ ସାହୁ, ବିଭାଗୀୟ ମୁଖ୍ୟ ଏବଂ ବରିଷ୍ଠ ଅଧ୍ୟାପିକା ପ୍ରତିଭା ପାତ୍ର,  ଶୁଭେନ କୁମାର ବେହେରା, ବିଧୁଭୂଷଣ ଶବର, ଶ୍ରୀକାନ୍ତ ଠାକୁର, କେ. ସୁମନ ରାଓ,  ରିତାଞ୍ଜଳୀ ପଣ୍ଡା, ଦୀପକ କୁମାର ନାୟକ, ଶିବ ଶଙ୍କର ସାହୁ ଓ ଅନ୍ୟ ଅଧ୍ୟାପକ-ଅଧ୍ୟାପିକାମାନେ ମଧୁସୂଦନ ଦାସଙ୍କ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ତାଙ୍କର ମହାନ ତ୍ୟାଗ ଓ ବଳିଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ସମସ୍ତ ବକ୍ତା ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମଧୁବାବୁଙ୍କ ଅନୁପମ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଓ ଦଶର ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଜାଣାଇଥିଲେ।ଏହି ଅବସରରେ ଅନୁଷ୍ଠାନ ପରିସରରେ ଗମ୍ଭୀର ଓ ଶ୍ରଦ୍ଧାମୟ ପରିବେଶ ସୃଷ୍ଟି ହୋଇଥିଲା। ଛାତ୍ରଛାତ୍ରୀମାନେ ମଧୁସୂଦନ ଦାସଙ୍କ ଜୀବନୀ, ଦେଶପ୍ରେମ ଓ ଓଡ଼ିଆ ଅସ୍ମିତା ପ୍ରତି ତାଙ୍କ ଅଦମ୍ୟ ସଂଘର୍ଷ ସମ୍ପର୍କରେ ବିଶଦ ଭାବେ ଅବଗତ ହୋଇଥିଲେ। କାର୍ଯ୍ୟକ୍ରମଟି ଯୁବପିଢ଼ିମାନଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତି, ଭାଷାପ୍ରେମ ଓ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିଥିଲା। ବକ୍ତାମାନେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନ ଦାସ କେବଳ ଏକ ବ୍ୟକ୍ତି ନଥିଲେ, ସେ ଥିଲେ ଓଡ଼ିଆ ଜାତୀୟ ଚେତନାର ଏକ ଯୁଗାନ୍ତକାରୀ ଆନ୍ଦୋଳନ। ତାଙ୍କର ଆଦର୍ଶ ଓ ଚିନ୍ତାଧାରା ଆଜିର ସମୟରେ ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାନୁଷ୍ଠାନ ପକ୍ଷରୁ ଜାତୀୟ ମହାପୁରୁଷମାନଙ୍କ ଆଦର୍ଶକୁ ଛାତ୍ରଛାତ୍ରୀଙ୍କ ଜୀବନରେ ପ୍ରତିଷ୍ଠା କରିବାର ଏକ ସକାରାତ୍ମକ ପ୍ରୟାସ ଦେଖିବାକୁ ମିଳିଥିଲା।ସର୍ବଶେଷରେ ଜ୍ୟୋତି ପ୍ରକାଶ ଗିରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାର ସମାପନ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *