ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲାରେ ପୂର୍ତ୍ତ ବିଭାଗର ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ମଙ୍ଗଳବାର ସକାଳ ପ୍ରାୟ ୬ଟାରୁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିବା ସୂଚନା ମିଳିଛି। ସୂଚନା ନୁସାରେ, କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭୁବନେଶ୍ୱର ଶବରଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଆଜି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଟିମ୍ ସଦର ବ୍ଲକ୍ ଗୋଷାଣୀ ମୁଣ୍ଡା ସ୍ଥିତ ବାସଭବନ, କୁସୁମଖୁଣ୍ଟିରେ ଥିବା ପୈତୃକ ଘର, କିଟପଦର ସ୍ଥିତ ଫାର୍ମ ହାଉସ୍ ସହିତ ଧର୍ମଗଡ଼ ଓ ଭବାନୀପାଟଣାସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି। ଚଢ଼ାଉ ସମୟରେ ବିଭିନ୍ନ ଦଲିଲପତ୍ର, ବ୍ୟାଙ୍କ ଖାତା ସମ୍ବନ୍ଧୀୟ ତଥ୍ୟ ଓ ସମ୍ପତ୍ତିର କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ତେବେ ଚଢ଼ାଉ ଶେଷ ପରେ ସମ୍ପୂର୍ଣ୍ଣ ସମ୍ପତ୍ତିର ମୂଲ୍ୟ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି।

