କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ବରାଡଙ୍ଗା ଅଞ୍ଚଳରେ ଏକ ଅତର୍କିତ ଚଢ଼ାଉ କରାଯାଇ ଦେଶୀ ମଦ ଜବତ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବରାଡଙ୍ଗାଠାରେ ବେଆଇନ ଭାବେ ଦେଶୀ ରନ୍ଧାମଦ କାରବାର ଚାଲିଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା। ଏହାକୁ ଆଧାର କରି କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ୧୨ ଲିଟର ଦେଶୀ ହାତରନ୍ଧା ମଦ ଜବତ କରାଯିବା ସହ ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ଗ୍ରାମର କ୍ଷୀରସିନ୍ଧୁ ବାରିକଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ବିଭାଗର କର୍ମଚାରୀ କଖୁସିଦେବ କଟା, ମହାଦେବ ମାଝୀ, ରବି ନାଗ ଏବଂ ଯଶୋବନ୍ତି ପ୍ରମୁଖ ସାମିଲ ହୋଇଥିଲେ। ଏ ନେଇ ଅବକାରୀ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

