ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ବେଳକଣା ଗାଁରେ ଜଣେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତକ ହେଲେ ଗାଁର ପଙ୍କଜ ନେମାଳପୁରୀଙ୍କ ପତ୍ନୀ ରଞ୍ଜିତା ସାହୁ(୨୪)। ସୂଚନା ଅନୁସାରେ, ରଞ୍ଜିତାଙ୍କ ମୃତ୍ୟୁ କେମିତି ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଝିଅକୁ ହତ୍ୟା କରାଯାଇଥିବା ନେଇ ବାପାଘର ପକ୍ଷରୁ କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ଏସ୍ଡିପିଓ ଗୌରହରି ସାହୁ, ଥାନା ଆଇଆଇସି କଳ୍ପନା ବେହେରା ଓ ଏସ୍ଆଇ ହେମନ୍ତ କୁମାର ବରିହାଙ୍କ ସହ ସାଇଣ୍ଟିଫିକ୍ ଟିମ୍ କିଶର ଦୀପ ପହଞ୍ଚି ତନାଘନା କରିଥିଲେ। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ପୁଲିସ ମୃତକଙ୍କ ସ୍ୱାମୀ ପଙ୍କଜ ନେମାଳପୁରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

