କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ କାଳବୈଶାଖୀ ଜନିତ ବର୍ଷା ସହ ପ୍ରବଳ ବଜ୍ରପାତ ହୋଇଛି। ଏହି ବଜ୍ରପାତର ଶିକାର ହୋଇ ଟେମରା ଗ୍ରାମର ଜଣେ ଯୁବକଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ହେଲେ ପଦ୍ମଲୋଚନ ଦଳପତିଙ୍କ ପୁଅ ଅକ୍ଷୟ କୁମାର ଦଳପତି (୩୭)। ମିଳିଥିବା ସୂଚନା ମୁତାବକ, ଅକ୍ଷୟ ନିଜ ଶଶୁର ଘର ଭୁର୍ଷାଗୁଡ଼ାରୁ ଏକ ମୋଟର ସାଇକେଲ ଯୋଗେ ନିଜ ଗ୍ରାମ ଟେମରାକୁ ଫେରୁଥିଲେ। ଫେରିବା ବାଟରେ ଟେମରା ପୁରୁଣା ମଦଭାଟି ଛକ ନିକଟରେ ହଠାତ୍ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ସେ ବାଇକ୍ରୁ ଛିଟିକି ପଡ଼ି ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏ ସମ୍ପର୍କରେ ମୃତକଙ୍କ ପରିବାର ପକ୍ଷରୁ କୋକସରା ଥାନାକୁ ଅବଗତ କରାଯାଇଥିବା ସୂଚନା ମିଳିଛି।

