ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଯୁକ୍ତ ଦୁଇ ପରୀକ୍ଷା ଫଳାଫଳରେ ପୁଣିଥରେ ସଫଳତାର ନୂଆ ଅଧ୍ୟାୟ ଲେଖିଛି ଭବାନୀପାଟଣା ସ୍ଥିତ ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟ।ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ନେଇ ଶିକ୍ଷକ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ବିଜ୍ଞାନ ବିଭାଗର ଛାତ୍ର ଅଭିଜିତ ସରାଫ ୯୮.୩୪ % ପ୍ରତିଶତ ନମ୍ବର ରଖି କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇ ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି। ଚଳିତ ବର୍ଷ ବିଜ୍ଞାନ ବିଭାଗରେ ସର୍ବମୋଟ ୨୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୪ ଜଣ ୯୫ % ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସେହିପରି ୨୪ ଜଣ ୯୦ %ପ୍ରତିଶତରୁ ଅଧିକ,୧୫୧ ଜଣ ୮୦ %ପ୍ରତିଶତରୁ ଅଧିକ ନମ୍ବର ପାଇଥିବାବେଳେ ୨୧୬ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷର ପରୀକ୍ଷା ଫଳାଫଳ ପୂର୍ବବର୍ଷର ସମସ୍ତ ରେକର୍ଡ ଭାଙ୍ଗିଥିବା କୁହାଯାଉଛି। ଫଳାଫଳ ପ୍ରକାଶ ପାଇବା ପରେ ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ୍ସର ଚେୟାରମ୍ୟାନ ଡି.ନାଗେଶ ରାଓ, ନିର୍ଦ୍ଦେଶକ ଡି.ଶ୍ୟାମ ଓ ଡି. ରାମକୁମାର, ମୁଖ୍ୟ ଶିକ୍ଷା ଅଧିକାରୀ ଡି.ବିଜୟା ଓ ଡି. ପଦ୍ମିନୀ, ପ୍ରିନ୍ସିପାଲ୍-କମ୍-ମୁଖ୍ୟ ପ୍ରଶାସକ ଯୁବରାଜ ନାଏକ, ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ଆରତି ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ପ୍ରଶନ୍ନଜିତ ଦତ୍ତ ଏବଂ ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେମାନେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଏହି ସଫଳତା ପଛରେ ଶିକ୍ଷକ ଓ ଅଭିଭାବକଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି।ପରୀକ୍ଷା ଫଳାଫଳକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।

