୧୪ ଦିନର ଖରା ଓ ଆଖିର ଲୁହ ; ଅନ୍ନଦାତାଙ୍କ ଜିଦ୍‌ ଆଗରେ ୪ ଦିନ ସମୟ ମାଗିଲା ପ୍ରଶାସନ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରାଠାରେ ଦୀର୍ଘ ୧୪ ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଓ ଆମରଣ ଅନଶନରେ ଗୁରୁବାର ଏକ ବଡ଼ ମୋଡ଼ ଆସିଛି। ସ୍ଥାନୀୟ ପ୍ରଶାସନ ଓ ଚାଷୀ ପ୍ରତିନିଧି ଦଳ ମଧ୍ୟରେ ହୋଇଥିବା ଦୀର୍ଘ ଆଲୋଚନା ପରେ ସନ୍ଧ୍ୟାରେ ଆମରଣ ଅନଶନକୁ ସାମୟିକ ଭାବେ ପ୍ରତ୍ୟାହାର କରାଯାଇଛି। ଚାଷୀଙ୍କ ଦାବିଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ ଦିନର ସମୟ ମାଗିବା ପରେ ଚାଷୀମାନେ ଆମରଣ ଅନଶନ ପ୍ରତ୍ୟାହୃତ କରିଥିଲେ ମଧ୍ୟ ଗଣଧାରଣା ଜାରି ରହିବ ବୋଲି କୁହାଯାଇଛି। ଧାନ ବିକ୍ରି ପାଇଁ ପି-ପାସ ପୋର୍ଟାଲ୍ ରେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ବିକଳ୍ପ ଆସି ନଥିବାରୁ କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ଚାଷୀମାନେ ଗତ ୧୪ ଦିନ ହେବ କୃଷକ ସଂଘର ସଭାପତି ପୁରୁଷୋତ୍ତମ ଦାସ ଗୁପ୍ତା ଓ ଉପସଭାପତି ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ବରେ ରାଜପଥକୁ ଓହ୍ଲାଇଥିଲେ। ସେଥିମଧ୍ୟରୁ ୨ଦିନ ହେଲା ୩ ବ୍ଳକର ୯ ଜଣ ଚାଷୀ ରାଜୀବ କୁମାର ଅଗ୍ରୱାଲ, ମାନସ ରଞ୍ଜନ ବାଗ, ବେନୁପାଣି ଦୁର୍ଗା, ଧବଳେଶ୍ୱର ନାଗ, ଦୁର୍ଗା ପ୍ରସାଦ ନାଏକ, ସହଦେବ ଦାସ, ଇନ୍ଦ୍ରମଣି ସାହୁ, ମୁକେଶ ଲହଜଳ, ସୁନୀଲ ସାହୁ ପ୍ରମୁଖ ଭୁକ୍ ହରତାଳ (ଅନଶନ) ବସିଥିଲେ। ଅଞ୍ଚଳରେ ଉତ୍ତେଜନା ଓ ଚାଷୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି କଳାହାଣ୍ଡି ଜିଲ୍ଲାପାଳ ସଚୀନ ପାୱାର, ଧର୍ମଗଡ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, କୋକସରା ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝୀ, କୋକସରା ଅତିରିକ୍ତ ତହସିଲଦାର ମୋହନ୍ ଚରଣ ଜେନା ପ୍ରମୁଖ ଅଧିକାରୀମାନେ ଅନଶନ ସ୍ଥଳରେ ପହଞ୍ଚି ଚାଷୀ ଓ ଚାଷୀ ନେତାମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି ଯେ’ ରବି ଋତୁ ଧାନ ବିକ୍ରି ନିମନ୍ତେ ପି-ପାସ ପୋର୍ଟାଲ ଖୋଲିବା ଓ ପଞ୍ଜିକରଣ ଜନିତ ସମସ୍ୟାର ସମାଧାନ ଆସନ୍ତା ୪ ଦିନ ମଧ୍ୟରେ ସମାଧାନର ସୂତ୍ର ବାହାର କରାଯିବ ବୋଲି କୁହାଯାଇଛି। ପ୍ରଶାସନିକ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ରହିଥିଲେ ମଧ୍ୟ ଚାଷୀ ସଂଗଠନ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି, ଯଦି ଆସନ୍ତା ୪ ଦିନ ମଧ୍ୟରେ ଚାଷୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଧାନ ପୋର୍ଟାଲ ଖୋଲିବା ଓ ପଞ୍ଜିକରଣ ବ୍ୟବସ୍ଥାରେ ସୁଧାର ନଆସେ, ତେବେ ୫ମ ଦିନରୁ କୋକସରା ଅଞ୍ଚଳର ହଜାର ହଜାର ଚାଷୀ ପୁନର୍ବାର ଆନ୍ଦୋଳନକୁ ଆହୁରି ବ୍ୟାପକ କରିବେ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି। ପ୍ରଶାସନ ସହିତ ଆଲୋଚନା ସମୟରେ ମେଗା ଉଠାଜଳସେଚନ କୃଷକ ସଂଘର ସଭାପତି ପୁରୁଷୋତ୍ତମ ଦାସ ଗୁପ୍ତା, ବରିଷ୍ଠ ଆଇନଜୀବି ଦିଗାମ୍ବର ଦୁଆରୀ, ପ୍ରଶାନ୍ତ ତିୱାରୀ, ଗୋବର୍ଦ୍ଧନ ବାଗ, ତ୍ରିଭୁବନ ନାଏକ, ଜୟଲାଲ ନାଏକ, ରବିନାରାୟଣ ଦାସ, ନବିନ ନାଏକ, ପ୍ରଣବ ବେହେରା, ନିମାଇଁ ଚରଣ ଧଙ୍ଗଡ଼ାମାଝି, ଶୈଲେସ ପଣ୍ଡା, ସିମାଞ୍ଚଳ ବେହେରା, ପଞ୍ଚକ ପୋଡ଼, ସୁଶାନ୍ତ ବେହେରା, ରାଜେନ୍ଦ୍ର ନାଏକ, ବିଶ୍ବନାଥ ପଟ୍ଟନାୟକ, ଅଚ୍ୟୁତ ସାହୁ, ଲକ୍ଷ୍ମୀ ନାରାୟଣ ପ୍ରଧାନୀ ସମେତ ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *