୪୧ ଡିଗ୍ରୀ ତାପରେ ଶିଝିଲା କଳାହାଣ୍ଡିର କାଶ୍ମୀର ଥୁଆମୂଳ ରାମପୁର

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର(ପ୍ରଦୀପ କୁମାର ପଣ୍ଡା): ଥୁଆମୂଳ ରାମପୁର ଅଞ୍ଚଳକୁ ଏକ ସମୟରେ “କଳାହାଣ୍ଡିର କାଶ୍ମୀର” ବୋଲି କୁହାଯାଉଥିଲା। ଘନ ଜଙ୍ଗଲ, ପାହାଡ଼ିଆ ପରିବେଶ, ଥଣ୍ଡା ପବନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହି ଅଞ୍ଚଳ ସମଗ୍ର ଜିଲ୍ଲାରେ ଅଲଗା ପରିଚୟ ରଖିଥିଲା। କିନ୍ତୁ ସମୟ ସହିତ ପରିସ୍ଥିତି ବଦଳିଛି। ଆଜି ସେହି ଅଞ୍ଚଳ ୪୧ ଡିଗ୍ରୀ ତାପମାତ୍ରାରେ ଶିଝୁଛି। ତିବ୍ର ଗ୍ରୀଷ୍ମ ପ୍ରବାହରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୦ଟା ପରେ ରାସ୍ତାଘାଟ ଶୂନ୍ୟ ହୋଇଯାଉଛି। ଗ୍ରାମାଞ୍ଚଳରେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। ପାଣି ସଙ୍କଟ ଗଭୀର ରୂପ ନେଇଥିବା ବେଳେ ନଦୀ, ନାଳ ଓ ପ୍ରାକୃତିକ ଜଳଉତ୍ସ ଶୁଷ୍କ ହେବାରେ ଲାଗିଛି। ଜଙ୍ଗଲ ଅଞ୍ଚଳରେ ବନ୍ୟପ୍ରାଣୀମାନେ ମଧ୍ୟ ପାଣି ଖୋଜି ଲୋକବସତି ମୁହାଁ କରୁଥିବା ଦେଖାଯାଉଛି। ବିଶେଷଜ୍ଞ ଓ ପରିବେଶ ବିଦ୍ମାନଙ୍କ ମତରେ ଏହି ପରିସ୍ଥିତି ପଛରେ ଅନେକ କାରଣ ରହିଛି। ଗତ କିଛି ବର୍ଷ ଧରି ଅଞ୍ଚଳରେ ଅବୈଧ ଗଛ କଟା, ଜଙ୍ଗଲ ନଷ୍ଟ ଓ ଅଗ୍ନିକାଣ୍ଡ ଘଟଣା ବଢ଼ିଛି। ଯେଉଁ ଜଙ୍ଗଲ ଏକ ସମୟରେ ପ୍ରାକୃତିକ ଭାବେ ତାପମାତ୍ରାକୁ ନିୟନ୍ତ୍ରଣ କରୁଥିଲା, ସେଗୁଡ଼ିକ ଆଜି ଧୀରେ ଧୀରେ କମିଯାଉଛି। ଅତ୍ୟଧିକ ଖରା, କମ୍ ବର୍ଷା ଓ ଅନିୟନ୍ତ୍ରିତ ଭୂଗର୍ଭ ଜଳ ବ୍ୟବହାର ଫଳରେ ଜଳସ୍ତର ନିମ୍ନଗାମୀ ହୋଇଛି। ଫଳରେ ମାଟି ଶୁଷ୍କ ହୋଇ ତାପ ଧାରଣ କ୍ଷମତା ବଢ଼ିଯାଉଛି। ବିଶ୍ୱସ୍ତରରେ ବଢ଼ୁଥିବା ଗ୍ଲୋବାଲ ୱାର୍ମିଂର ପ୍ରଭାବ ଏବେ ଦୁର୍ଗମ ଆଦିବାସୀ ଅଞ୍ଚଳରେ ମଧ୍ୟ ପହଞ୍ଚିଛି। ପୂର୍ବରୁ ଯେଉଁଠାରେ ଗ୍ରୀଷ୍ମ ମଧ୍ୟମ ରହୁଥିଲା, ଏବେ ସେଠାରେ ଅସହ୍ୟ ତାପପ୍ରବାହ ଦେଖାଯାଉଛି। ଅଞ୍ଚଳରେ ଖଣି ପ୍ରକଳ୍ପ ନେଇ ଚର୍ଚ୍ଚା ଓ ପାହାଡ଼ କଟାକୁ ନେଇ ଲୋକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ପରିବେଶ ବିଦ୍ମାନଙ୍କ ମତରେ ପାହାଡ଼ ଓ ଜଙ୍ଗଲ ନଷ୍ଟ ହେଲେ ଏହି ଅଞ୍ଚଳର ପ୍ରାକୃତିକ ସମତୁଳନ ଭଙ୍ଗିଯିବ। ପାଣି ପାଇଁ ଗ୍ରାମବାସୀଙ୍କୁ ଦୂର ଦୂରନ୍ତ ଯିବାକୁ ପଡ଼ୁଛି ଚାଷକାମ ପ୍ରଭାବିତ ହୋଇ କୃଷକମାନେ ଚିନ୍ତାରେ ଛୋଟ ଛୁଆ ଓ ବୃଦ୍ଧମାନଙ୍କ ମଧ୍ୟରେ ହିଟ୍‌ଷ୍ଟ୍ରୋକ ଆଶଙ୍କା ବଢ଼ିଛି ଶ୍ରମିକମାନଙ୍କ କାମ କରିବା ସମୟ କମିଯାଇଛି ବିଦ୍ୟୁତ କାଟ ହେଲେ ଅବସ୍ଥା ଅଧିକ ଦୟନୀୟ ହେଉଛି। ଯଦି ଏହି ପରିସ୍ଥିତି ଉପରେ ଏବେଠାରୁ ନିୟନ୍ତ୍ରଣ ନ ଆଣାଯାଏ, ତେବେ ଆଗାମୀ କିଛି ବର୍ଷରେ ଥୁଆମୂଳ ରାମପୁର ଭଳି ପାହାଡ଼ିଆ ଅଞ୍ଚଳ ମଧ୍ୟ ଭୟଙ୍କର ଜଳ ସଙ୍କଟ ଓ ତାପପ୍ରବାହର କେନ୍ଦ୍ରବିନ୍ଦୁ ପାଲଟିପାରେ। ପରିବେଶ ଅସନ୍ତୁଳନ ବଢ଼ିଲେ ଚାଷ, ପାଣି, ସ୍ୱାସ୍ଥ୍ୟ ଓ ଜୀବବୈବିଧ୍ୟ ଉପରେ ଗଭୀର ପ୍ରଭାବ ପଡ଼ିବ। ବିଶେଷଜ୍ଞମାନେ ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ, ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷାକୁ ତୁରନ୍ତ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ନହେଲେ “କଳାହାଣ୍ଡିର କାଶ୍ମୀର” ଭାବେ ପରିଚିତ ଏହି ସୁନ୍ଦର ଅଞ୍ଚଳ ଭବିଷ୍ୟତରେ ଉତ୍ତାପ ଓ ଜଳ ସଙ୍କଟର ଭୟଙ୍କର ଚିତ୍ର ଦେଖିପାରେ।

Leave a Reply

Your email address will not be published. Required fields are marked *