ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର(ଚୌଧୁରୀ ସାହୁ) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କୁଇକେଡ଼ା ଗ୍ରାମରେ ଦୀର୍ଘଦିନ ଧରି ପିଇବା ପାଣି ସମସ୍ୟାରେ ଜୁଝୁଥିବା ସମସ୍ୟା ଶେଷରେ ସମାଧାନ ହୋଇଛି। ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ବାଗଙ୍କ ହସ୍ତକ୍ଷେପ ଓ ପ୍ରଶାସନ ସହ ଆଲୋଚନା ପରେ ଗ୍ରାମରେ ପିଇବା ପାଣିର ବ୍ୟବସ୍ଥା କରାଯାଇଥିବାରୁ ଗ୍ରାମବାସୀମାନେ ଆସ୍ୱସ୍ତି ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ଗତ କିଛି ମାସ ଧରି ଗ୍ରାମରେ ପାଣି ଅଭାବ ଗୁରୁତର ରୂପ ନେଇଥିଲା। ଏହାକୁ ନେଇ ଗ୍ରାମବାସୀମାନେ ବହୁବାର ସମ୍ପର୍କିତ ବିଭାଗଙ୍କ ନଜରକୁ ଆଣିଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିଲା। ପରେ ଶ୍ରୀବାଗ ଗ୍ରାମ ପରିଦର୍ଶନ କରି ସମସ୍ୟାର ଗୁରୁତ୍ୱ ବୁଝିଥିଲେ ଏବଂ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। ତାଙ୍କ ଉଦ୍ୟମରେ ଗ୍ରାମରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାରୁ ଲୋକମାନେ ଏବେ ସୁବିଧାରେ ପିଇବା ପାଣି ପାଉଛନ୍ତି। ଗ୍ରାମବାସୀମାନେ ଏହି ପଦକ୍ଷେପ ପାଇଁ ଶ୍ରୀବାଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଶ୍ରୀବାଗ କହିଥିଲେ ଯେ, “ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ମୋର ପ୍ରଥମ କର୍ତ୍ତବ୍ୟ। ଆଗାମୀ ଦିନରେ ମଧ୍ୟ ଅଞ୍ଚଳର ସମସ୍ତ ମୌଳିକ ସୁବିଧା ଉନ୍ନତି ପାଇଁ ମୁଁ ସଦା ପ୍ରୟାସ ଜାରି ରଖିବି।”

