କୋକସରା/କ୍ରାନ୍ତିକ୍ଷେତ୍ର : ସରକାରୀ ଅର୍ଥର ହରିଲୁଟ୍ ଓ ନିମ୍ନମାନର କାର୍ଯ୍ୟର ଆଉ ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋକସରା ବ୍ଳକ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ଚିଲିଗୁଡା ନିକଟରେ। ଲୋକଙ୍କ ସୁବିଧା ପାଇଁ ଲଗାଯାଇଥିବା ଲାଇଟ୍ ଏବେ ପ୍ରଶାସନ ଓ ଠିକା ସଂସ୍ଥାର ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି। ଉଦ୍ଘାଟନର ଜଳିବା ତ’ ଦୂରର କଥା, ଆରମ୍ଭରୁ ହିଁ ନୂଆ ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ଏବେ ‘ଶୋ’ ପିସ୍’ ପାଲଟିଛି। ଗତ କିଛି ଦିନ ତଳେ ଚିଲିଗୁଡା ନିକଟରେ ଏନ୍ଏଚ୍ ଡିଭିଜନ ପକ୍ଷରୁ ରାଜ୍ୟ ବାହାରର ଠିକା ସଂସ୍ଥା ଦ୍ୱାରା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବା ପରେ, ରାତିରେ ପଥିକ ଓ ସ୍ଥାନୀୟ ଲୋକଙ୍କ ଗମନାଗମନକୁ ସୁରକ୍ଷିତ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଚାକଚକ୍ୟ ଭରା ନୂତନ ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକ ଲଗାଯାଇଛି। ହେଲେ ଠିକା ସଂସ୍ଥାର ଅତ୍ୟଧିକ ଲାଭଖୋର ମନୋଭାବ ଏବଂ ଅତ୍ୟନ୍ତ ନିମ୍ନମାନର ବୈଦ୍ୟୁତିକ ସରଞ୍ଜାମ ବ୍ୟବହାର ଯୋଗୁଁ ଏହି ଲାଇଟ୍ ଗୁଡ଼ିକ ଧପ୍ ଧପ୍ ହେବା ସହ ଏବେ ଅନେକ ଲାଇଟ୍ ଅଚଳ ହୋଇଛି। ଏବଂ ଆରମ୍ଭରୁ ହିଁ ଏହାର ଅସଲ ଚେହେରା ପଦାରେ ପଡ଼ିଛି। ରାଜପଥରେ ଗାଡ଼ି ଗୁଡ଼ିକ ଦ୍ରୁତ ଗତିରେ ଯାତାୟାତ କରୁଥିବା ବେଳେ, ହଠାତ୍ ନୂଆ ଲାଇଟ୍ ଗୁଡ଼ିକ ବନ୍ଦ ହୋଇଯିବା ଯୋଗୁଁ ସ୍ଥାନୀୟ ଲୋକେ ଓ ଗାଡ଼ି ଚାଳକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାଦ୍ୱାରା ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ, ତୁରନ୍ତ ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଅଚଳ ଲାଇଟ୍ ଗୁଡ଼ିକୁ ବଦଳାଇ ନୂତନ କାର୍ଯ୍ୟକ୍ଷମ ଲାଇଟ୍ ଲଗାଇବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଦୃଢ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଏହାକୁ ନେଇ ଜନ ଆନ୍ଦୋଳନ ହେବାର ଚେତାବନୀ ମଧ୍ୟ ମିଳିଛି। ଏ ବିଷୟରେ ଜାତୀୟ ରାଜପଥ ବିଭାଗର ପ୍ରତିକ୍ରିୟା ନେବାପାଇଁ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ। ଯାହା ଫଳରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

