୨ମାସ ହେଲେ ମିଳୁନି ଭତ୍ତା, ବ୍ଲକ ଅଫିସରେ ପହଞ୍ଚିଲେ ବୃଦ୍ଧବୃଦ୍ଧା

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକରୁ ଆସିଛି ଏକ ଚିନ୍ତାଜନକ ଖବର, ସରକାରୀ ଯୋଜନା ଥାଇ ବି ହିତାଧିକାରୀ ଭୋଗୁଛନ୍ତି ଚରମ ଦୁର୍ଦ୍ଦଶା। ଗତ ଦୁଇ ମାସ ହେଲା ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ମିଳୁନଥିବା ଅଭିଯୋଗ କରି ସୋମବାର ଗମ୍ଭାରୀଗୁଡା ଗ୍ରାମ ପଞ୍ଚାୟତର ଶତାଧିକ ବୃଦ୍ଧବୃଦ୍ଧା ବ୍ଳକ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ଅପ୍ରେଲ ଓ ମଇ ମାସର ଭତ୍ତା ଟଙ୍କା ଏପର୍ଯ୍ୟନ୍ତ ମିଲି ନାହିଁ, ଏନେଇ ହିତାଧିକାରୀ ମାନେ ବାରମ୍ବାର ବ୍ୟାଙ୍କ କୁ ଦୌଡ଼ି ଦୌଡ଼ି ହତାଶ ହୋଇପଡିଛନ୍ତି। ଭତ୍ତା ସହାୟତା ରାଶି ଠିକ୍ ସମୟରେ ମିଲୁ ନଥିବା ଯୋଗୁଁ କିଏ ଔଷଧ କିଣି ପାରୁ ନାହାଁନ୍ତି ତ’ ଆଉ କିଏ ପରିବାର ଚାଲାଇବା କଷ୍ଟ ହେଉଥିବା କହିଛନ୍ତି। ବ୍ୟାଙ୍କରେ ଲାଇନରେ ଛିଡା ହେବା ବୟସ ନାହିଁ, ଗୋଡ଼ ହାତ ଥରୁଛି। ଔଷଧ ଖାଇବା କୁ ଟଙ୍କା ମିଳୁନି, ବର୍ତ୍ତମାନ ଆମେ ସମ୍ପୂର୍ଣ୍ଣ ନିରୁପାୟ ହୋଇପଡିଛୁ। ଏଣେ ବାର୍ଦ୍ଧକ୍ୟରେ ଏଭଳି କଷ୍ଟ ଆମ୍ଭ ମାନଙ୍କୁ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି ବୋଲି ହିତାଧିକାରୀ ମାନେ କହିଛନ୍ତି। ଏବଂ ଆମକୁ ବ୍ୟାଙ୍କ ବଦଳରେ ହାତା ହାତି ଭତ୍ତା ଟଙ୍କା ଦିଅନ୍ତୁ ବୋଲି ଦାବି କରିଛନ୍ତି। ବ୍ଳକ ସାମାଜିକ ସୁରକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁସାରେ, କୋକସରା ବ୍ଲକରେ ମୋଟ୍ ୧୭ ହଜାର ଭତ୍ତା ହିତାଧିକାରୀ ରହିଛନ୍ତି। ସେଥିମଧ୍ୟରୁ ୧୧ ହଜାର ୧ ଶହ ୩୩ ଜଣ ହିତାଧିକାରୀ ହାତାହାତି ଟଙ୍କା ପାଇଥାନ୍ତି। ଏବଂ ୬ ହଜାର ୯ ଶହ ୩୫ ଜଣ ହିତାଧିକାରୀଙ୍କ ନିକଟକୁ ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ଯାଇଥାଏ। ମୋଟ୍ ବାର୍ଦ୍ଧକ୍ୟ ଭତ୍ତା ୪ ହଜାର ୮୯୦ ରହିଥିବାବେଳେ ବିଧବା ଭତ୍ତା ୧୭ ଶହ ୯୦ ଜଣ ଓ ୨୫୦ ଜଣ ଦିବ୍ୟାଙ୍ଗ ହିତାଧିକାରୀ ଭତ୍ତା ପାଉଛନ୍ତି। ତେବେ ବିଭିନ୍ନ ପଞ୍ଚାୟତର ହିତାଧିକାରୀ ସମେତ ଗମ୍ବାରୀଗୁଡା ପଞ୍ଚାୟତର ହିତାଧିକାରୀ ମାନେ ଅପ୍ରେଲ ଓ ମଇ ଗତ ଦୁଇ ମାସର ଭତ୍ତା ଟଙ୍କା ଏପର୍ଯ୍ୟନ୍ତ ପାଇଁ ନାହାନ୍ତି। ଏହାକୁ ନେଇ ଆଜି ଗମ୍ବାରୀଗୁଡା ପଞ୍ଚାୟତର ହିତାଧିକାରୀ ରୁଦ୍ର ଦୁର୍ଗା, ଟିକେ ନାଏକ, ଗିରିଧାରୀ ଦଳପତି, ଭବାନୀ ଦଳପତି, ସୁବର୍ଣ୍ଣି ବାଗ, ବୈଦେହୀ ପୂଝାରି, ଗୌରୀ ମାଝୀ, ସୁନାଦେଇ ନାଏକ ସମେତ ଅନେକ ବୃଦ୍ଧବୃଦ୍ଧା କୋକସରା ବ୍ଲକ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ବିଡ଼ିଓ ଅନୁପସ୍ଥିତିରେ ବ୍ଲକ ଅର୍ଥ ଅଧିକାରୀ ଦିଲୀପ କୁମାର ଶବର ଓ ବିଭାଗୀୟ ଅଧିକାରୀ ତଥା ହିସାବ ରକ୍ଷକ ସୁଦର୍ଶନ ବାଗଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏବଂ ବ୍ୟାଙ୍କ ବଦଳରେ ସେମାନଙ୍କୁ ହାତା ହାତି ଭତ୍ତା ଟଙ୍କା ଦେବାକୁ ଦାବି କରିବା ସହ ୨ମାସ ର ଭତ୍ତା ଟଙ୍କା ଶୀଘ୍ର ପ୍ରଦାନ କରିବା ପାଇଁ ଗୁହାରୀ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ଯେଉଁ ଅସହାୟ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବାମାନଙ୍କ ପାଇଁ ସରକାର ସାମାଜିକ ସୁରକ୍ଷା ଯୋଜନା କରିଛନ୍ତି, ତାହା ପ୍ରଶାସନିକ ଅବହେଳା ଯୋଗୁଁ ମାସ ମାସ ଧରି ବ୍ୟତିକ୍ରମ ହୋଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଯେ’ ପ୍ରତ୍ୟେକ ମାସର ୧୫ ତାରିଖ ସୁଦ୍ଧା ବାର୍ଦ୍ଧକ୍ୟ, ବିଧବା ତଥା ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା (ପେନସନ) ଟଙ୍କା ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି। ହେଲେ ବ୍ଳକରେ ଗତ ଦୁଇ ମାସ ହେଲା ଠିକ୍ ସମୟରେ ଭତ୍ତା ସହାୟତା ରାଶି ମିଲୁ ନଥିବାରୁ ଜନ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *