ଶ୍ରମିକ ଶୂନ୍ୟ ବ୍ଳକସ୍ତରୀୟ ମନରେଗା ଜନ ଶୁଣାଣୀ ; କୋକସରାରେ ପ୍ରଶାସନର ବଡ଼ ପ୍ରହସନ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଆଜି ଅନୁଷ୍ଠିତ ହୋଇଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା (ମନରେଗା) ଓ ସମଗ୍ର ଶିକ୍ଷା ଅଭିଯାନ ବ୍ଳକସ୍ତରୀୟ ସାମାଜିକ ସମିକ୍ଷା ଜନ ଶୁଣାଣୀ ଶିବିର କେବଳ ଏକ ସରକାରୀ ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ ହେଉଛି। ଯେଉଁ ଶ୍ରମିକମାନଙ୍କ ସ୍ୱାର୍ଥ ଓ ସମସ୍ୟାର ସମାଧାନ ପାଇଁ ଏହି ଜନ ଶୁଣାଣୀର ଆୟୋଜନ କରାଯାଇଥିଲା, ଆଶ୍ଚର୍ଯ୍ୟଜନକ ଭାବେ ସେହି ଶିବିରରେ ଜଣେ ହେଲେ ବି ପ୍ରକୃତ ଶ୍ରମିକ ଉପସ୍ଥିତ ନଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଏବଂ ଶ୍ରମିକ ବଦଳରେ ମେସିନ୍ (ଜେସିବି) ମାଧ୍ୟମରେ କାର୍ଯ୍ୟ କରାଯାଉଛି। ପରବର୍ତ୍ତୀ ସମୟରେ କିଛି ଲୋକଙ୍କୁ କାର୍ଯ୍ୟ ସ୍ଥଳରେ ଡାକି ନେଇ ଅତି ଚତୁରତାର ସହିତ ଜିଓ ଟ୍ୟାଗ୍ କରାଯାଉଥିବା ବେଳେ, ଯେଉଁ କେତେକ ଶ୍ରମିକ ନିୟୋଜିତ ହେଉଛନ୍ତି ସେମାନଙ୍କ ପ୍ରାପ୍ୟ ମିଳିବାରେ ମଧ୍ୟ ଅନେକ ବିଳମ୍ବ ନେଇ ଦୀର୍ଘ ଦିନ ହେବ ଅସନ୍ତୋଷ ପ୍ରକାଶ ପାଇଆସୁଛି। ଏଭଲି ଅଭିଯୋଗ ଗୁଡ଼ିକର ସମୀକ୍ଷା ଓ ଶୁଣାଣୀ ପାଇଁ ବ୍ଲକ ପ୍ରଶାସନ ତରଫରୁ ଶିବିର ଡକାଯାଇଥିଲା। ମାତ୍ର ବ୍ୟାପକ ପ୍ରଚାର ପ୍ରସାରର ଅଭାବ ଏବଂ ଅଧିକାରୀମାନଙ୍କ ଦାୟିତ୍ୱହୀନତା ଯୋଗୁଁ ସାଧାରଣ ଶ୍ରମିକମାନେ ଏହି ଶିବିର ସମ୍ପର୍କରେ କୌଣସି ସୂଚନା ପାଇପାରି ନଥିଲେ। ଯେଉଁଠି ଗରିବ ଶ୍ରମିକଙ୍କ କଥା ଶୁଣିବା ପାଇଁ ବ୍ୟବସ୍ଥା ଅଛି, ସେଠାରେ ଶ୍ରମିକ ନାହାଁନ୍ତି। କେବଳ କାଗଜପତ୍ର କାମ ସାରିଦେବା ଏବଂ କୋରମ ପୂରଣ କରିବା ପାଇଁ ଏଭଳି ଶିବିର କରାଯାଉଛି। ଏହା ଶ୍ରମିକମାନଙ୍କ ପ୍ରତି ଏକ ପରିହାସ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ଶିବିରରେ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଳକ ସହକାରୀ ଯନ୍ତ୍ରୀ ଏହମ୍ମଦ ସରିଫ୍, ଭ୍ରାରପ୍ରାପ୍ତ ଏପିଓ ସୁନିଲ କୁମାର ସାହୁ, କୋକସରା ବିଏସ୍ଏ ଆଲୋକ କୁମାର ପ୍ରଧାନୀ, ବିଏସ୍ଏ ଜୟକୃଷ୍ଣ ତାଣ୍ଡି ପ୍ରମୁଖ ମଞ୍ଚାସୀନ ଥିବାବେଳେ ଶିବିରରେ କେବଳ ସରକାରୀ ବାବୁ ଓ କିଛି ନିର୍ଦ୍ଦିଷ୍ଟ ପ୍ରତିନିଧି ଉପସ୍ଥିତ ରହି ସଭା ଶେଷ କରିଥିଲେ। ବିନା ଶ୍ରମିକରେ ମନରେଗାର ଜନ ଶୁଣାଣୀ କିଭଳି ସମ୍ଭବ, ତାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଆଗାମୀ ଦିନରେ ସମସ୍ତ ଶ୍ରମିକଙ୍କୁ ସାମିଲ କରି ପୁନର୍ବାର ସ୍ୱଚ୍ଛ ଭାବେ ଜନ ଶୁଣାଣୀ କରିବାକୁ ଜନ ସାଧାରଣରେ ଦାବି ହେଉଥିବା ବେଳେ କୋକସରାରେ ପ୍ରଶାସନର ବଡ଼ ପ୍ରହସନ ବୋଲି ଚର୍ଚ୍ଚା ହେବାରେ ଲାଗିଛି। ଏ ବିଷୟରେ ଭ୍ରାରପ୍ରାପ୍ତ ଏପିଓ ସୁନିଲ କୁମାର ସାହୁଙ୍କ ମତାମତ ନେବାରୁ ଶ୍ରମିକ ମାନଙ୍କୁ ଅବଗତ କରାଯାଇଥିଲା, ସେମାନେ ଆସିଲେ ନାହିଁ, ବିଏସ୍ଏ ଙ୍କୁ ପଚାରନ୍ତୁ ବୋଲି କହିଥିଲେ। ସେହିପରି ବିଏସ୍ଏଙ୍କ ମତାମତ ନେବା ପାଇଁ ବାରମ୍ବାର ଫୋନ୍ କରାଯାଇଥିଲେ ମଧ୍ୟ କଲ ରିସିଭ୍  କରି ନଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *