ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା; ଚାଳକ ଗୁରୁତର

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଝରିଆଗୁଡ଼ା ରାସ୍ତାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଖୁଣ୍ଟରେ ପିଟି ହେବା ଫଳରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଜଣକ ହେଲେ ଛିଲିପାମାଲ ଗ୍ରାମର ହିମାଂଶୁ ଖର୍ସେଲ (୨୭)। ସୂଚନା ଅନୁଯାୟୀ, ଗୁରୁବାର ସକାଳେ ହିମାଂଶୁ କୌଣସି କାମରେ ବାଇକ୍ ଯୋଗେ କୋକସରା ଅଭିମୁଖେ ଆସୁଥିଲେ। ତେବେ ଝରିଆଗୁଡ଼ା ରାସ୍ତା ମଝିରେ ହଠାତ ଗାଡ଼ିର ଭାରସାମ୍ୟ ବିଗିଡ଼ି ଯାଇଥିଲା ଏବଂ ତାହା ସିଧାସଳଖ ରାସ୍ତା କଡ଼ରେ ଥିବା ଏକ ଖୁଣ୍ଟ ସହ ପିଟି ହୋଇଥିଲା। ଧକ୍କା ହେବାରୁ ହିମାଂଶୁ ଗୁରୁତର ଭାବେ ଆହତ ହୋଇ ସେଠାରେ ପଡ଼ି ରହିଥିଲେ। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଏ ବିଷୟରେ କୋକସରା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଓଆସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଉଦ୍ଧାର କାର୍ଯ୍ୟରେ ହାବିଲଦାର ସୁନୀଲ ରଞ୍ଜନ ବାରଳା, କର୍ମଚାରୀ ଦେବାଶିଷ ମହାପାତ୍ର, ସ୍ମୃତି ରଞ୍ଜନ ବିଶ୍ୱାଳ, ରାଧେଶ୍ୟମ ପ୍ରଧାନୀ, ବିଶ୍ୱଜିତ ଜେନା ପ୍ରମୁଖ ଆହତ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ହିମାଂଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ତୁରନ୍ତ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ କୋକସରା ପୋଲିସ ମଧ୍ୟ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *