ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଦିନକୁ ଦିନ ମଦ ବନ୍ଦ ପାଇ ମହିଳା ମାନେ ଉଗ୍ରରୂପ ଧରି ଅଞ୍ଚଳରେ ମଦବେପାରୀଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳେଇ ଥିବା ବେଳେ ପୁଲିସ ପ୍ରଶାସନ ମଧ୍ୟ ଚିନ୍ତା ବଢ଼ିଯାଇଛି। ଶତାଧିକ ମହିଳା ହାତରେ ଠେଙ୍ଗା ଧରି ଗାଁ ବୁଲିବା ଓ ମଦ ଦୋକାନରୁ ମଦଗୁଡ଼ିକ ଭିଡ଼ିଆଣି ବାହାରେ ପକାଇବା ସହ ନିଆଁ ଲଗାଇଦେଇଛନ୍ତି। ପାପଡାହାଣ୍ଡି ବ୍ଲକ୍ର ଧନସୁଲି ଗ୍ରାମର ଠାକୁରାଣୀ ମନ୍ଦିର ନିକଟରେ ଆଜି (ଗୁରୁବାର) ପାପଡ଼ାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକ ନାରୀ ମହାସଂଘର ମହିଳାମାନେ ଏକତ୍ରିତ ହୋଇ ମଦର କୁପରିଣାମ ବିଷୟରେ ଆଲୋଚନା କରିଥିଲେ। ପରେ ପ୍ରାୟ ୧୫୦୦ ରୁ ୨୦୦୦ ମହିଳା ହାତରେ ଠେଙ୍ଗା ଧରି ଗ୍ରାମ ପରିକ୍ରମା କରିଥିଲେ। ଧନସୁଲି ଗ୍ରାମରେ ଥିବା ଦେଶୀ ମଦ ଭାଟିକୁ ଯାଇ ତାଲା ପକାଇବା ସହ ଭାଟିରେ ବ୍ୟବହୃତ ସାମଗ୍ରୀକୁ ଆଣି ନିଆଁ ଲଗାଇ ଦେଇଥିଲେ। ଖବର ପାଇ, ନବରଙ୍ଗପୁର ଏଏସ୍ପି ଆଦିତ୍ୟ ସେନ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କୃଷ୍ଣଚନ୍ଦ୍ର ଭତ୍ରା, ପାପଡାହାଣ୍ଡି ଅବକାରୀ ଅଧିକାରୀ ସମୀର ସ୍ବାଇଁ ପ୍ରମୁଖ ପହଞ୍ଚିଥିଲେ। ତାଲା ଖୋଲିବା ପାଇଁ ଅବକାରୀ ବିଭାଗ ଓ ପୁଲିସ ଅଧିକାରୀ ଅନେକ ବୁଝାସୁଝା କରିବା ପରେ ମଧ୍ୟ ମହିଳାମାନେ ନିଜ ଜିଦ୍ରେ ଅଟଳ ଥିଲେ।ମହିଳାଙ୍କ ଅଭିଯୋଗ ଅନୁସାରେ, ଅଂଚଳରେ ଘରେ ଘରେ ଦେଶୀ ମଦ ରନ୍ଧା ଓ ଦେଶୀ ମଦ ଦୋକାନ ଥିବାରୁ ଗ୍ରାମର ପୁରୁଷ ଓ ଶିଶୁମାନେ ଏହାର ଶିକାର ହେଉଛନ୍ତି। ଘରୋଇ ହିଂସା, ଶାରୀରିକ ଅସୁସ୍ଥତା, ବିଧବା ସଂଖ୍ୟା ବଢିବା ଇତ୍ୟାଦିକୁ ନେଇ ଆଗରୁ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଗାଁ ରେ ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଥିଲେ।

