କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଜୁନାପାନି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ଶଙ୍କର ସାହୁ ନାମକ ଜଣେ ଯୁବକ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଶଙ୍କର ଦୀର୍ଘ ଦିନ ଧରି ମାନସିକ ଚାପରେ ରହି ଆସୁଥିଲେ, ଯାହା ଫଳରେ ସେ ମାନସିକ ଭାରସାମ୍ୟ ହରାଇଥିଲେ। ଗତକାଲି ସେ ବିଷ ପିଇ ଦେଇଥିଲେ।ପରିବାର ଲୋକେ ତାଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ଭବାନୀପାଟଣା ନିଆଯାଉଥିବା ସମୟରେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପୋଲିସ ମୃତଦେହ ଜବତ କରିବା ସହ ଜୁନାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଇଥିବା ସୂଚନା ମିଳିଛି।

