ମ.ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ଅଁଳାପାଳି ଉପକେନ୍ଦ୍ର ମଣ୍ଡିରେ ଧାନ ସଂଗ୍ରହରେ ଦେଖାଦେଇଥିବା ଚରମ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ନିଷ୍ପତ୍ତି ମୁତାବକ ମଇ ୨୦ ତାରିଖରୁ ରବିଧାନ କିଣା ଆରମ୍ଭ ହେବାର ଥିଲା। ଏଥିସହ ମଣ୍ଡିଗୁଡ଼ିକରେ ଡିଜିଟାଲ ଆଦ୍ରତା ମିଟର, ପାନୀୟ ଜଳ, ଆଲୋକ ଓ ସିସିଟିଭି ଭଳି ମୌଳିକ ସୁବିଧା ଯୋଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପ୍ରଶାସନିକ ଅବହେଳା ଯୋଗୁଁ ଧାର୍ଯ୍ୟ ତାରିଖର ୧୦ ଦିନ ବିତିଯାଇଥିଲେ ମଧ୍ୟ ଏଠାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ। ଏହି ସମସ୍ୟାର ପ୍ରତିବାଦରେ ଆଜି ସ୍ଥାନୀୟ ଗିରି ଗୋବର୍ଦ୍ଧନ ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଚାଷୀ ଏକତ୍ରିତ ହୋଇ ଏକ ଜରୁରୀ ବୈଠକ କରିଥିଲେ। ମିଳିତ କୃଷକ ସଙ୍ଗଠନର ଆବାହକ ତୁମେଶ୍ୱର ସାହୁଙ୍କ ନେତୃତ୍ୱରେ ଅବିଭକ୍ତ ସାଇଦଳଙ୍ଗା ଓ ବମକ ଗ୍ରାମ ପଞ୍ଚାୟତର ଚାଷୀମାନେ ଏଥିରେ ସାମିଲ ହୋଇଥିଲେ। ସୁଚାରୁ ରୂପେ ଧାନ ବିକ୍ରି କରିବା ନେଇ ଆଲୋଚନା ହେବା ପରେ, ଚାଷୀମାନେ ସ୍ଥାନୀୟ ତହସିଲଦାର ମୀମାଂସା ସାହୁଙ୍କୁ ଭେଟି ଏକ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ଏବଂ ପ୍ୟାକ୍ସ କର୍ମଚାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଚାଷୀମାନେ ଦୀର୍ଘ ଦିନ ହେବ ଧୈର୍ଯ୍ୟର ସହ ଅପେକ୍ଷା କରିଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ଯଦି ସରକାର ଶୀଘ୍ର କୌଣସି ସକାରାତ୍ମକ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ମୁଖ୍ୟ ରାସ୍ତା ଅବରୋଧ କରାଯିବ ବୋଲି ଚାଷୀ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

